କନକ ବ୍ୟୁରୋ: ଭାରତ ଆମେରିକାର ଆମଦାନି ଉପରେ ଉଚ୍ଚା ଶୁଳ୍କ ଆଦାୟ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ରପ୍ତାନି ଉପରେ ୨୫ ପ୍ରତିଶତର ପାଲଟା ଶୁଳ୍କ ଲଗାଇଛନ୍ତି । ଏଥିସହିତ ରୁଷ୍‌ଠାରୁ ତେଲ କିଣୁଥିବାରୁ ଆଉ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି । ଟ୍ରମ୍ପ ଆମେରିକାକୁ ପୁନର୍ବାର ମହାନ ବା ମେକ୍‌ ଆମେରିକା ଗ୍ରେଟ୍ ‌ଏଗେନ୍‌ (ଏମ୍‌ଏଜିଏ) ଅଭିଯାନ ଚଳାଇଛନ୍ତି । ଏଭଳି ସ୍ଥିତିରେ ଏମ୍‌ଏଜିଏର ସମର୍ଥକମାନେ ଭାରତୀୟ କର୍ମଚାରୀମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏଚ୍‌-୧ବି ଭିସାରେ ପରିବର୍ତ୍ତନ କିମ୍ବା ନିଷିଦ୍ଧ କରିବାକୁ ଚାହୁଛନ୍ତି ।

Advertisment

ଟ୍ରମ୍ପଙ୍କ ସମର୍ଥକମାନେ ଏନେଇ ଆମେରିକାରେ ପ୍ରଚାର ଚଳାଇଛନ୍ତି । ଆମେରିକାର ପ୍ରଯୁକ୍ତି ‌କ୍ଷେତ୍ରକୁ ବଡ଼ଧରଣର ଛଟେଇ କବଳିତ କରିଥିବାବେଳେ ତାଙ୍କ ଦେଶ ବିଦେଶୀ କର୍ମଚାରୀଙ୍କ ଉପରେ ଏତେମାତ୍ରାରେ କାହିଁକି ନିର୍ଭର କରୁଛନ୍ତି ବୋଲି ଯୁକ୍ତି ବାଢ଼ୁଛନ୍ତି । ବିଶେଷକରି ଭାରତ ଉପରେ ଟ୍ରମ୍ପ ଶୁଳ୍କ ଲଗାଇବା ପରେ ଏଚ୍‌-୧ବି ଭିସା ପ୍ରସଙ୍ଗକୁ ଜୋରଦାର୍‌ କରାଯାଇଛି । ଅନଲାଇନ୍‌ରେ ମଧ୍ୟ ଏନେଇ ଏକାଧିକ ବ୍ୟକ୍ତି ମୁହଁ ଖୋଲିଛନ୍ତି । ଏଚ୍‌-୧ବି ଭିସାରେ ଆମେରିକା ଯାଇଥିବା ଭାରତୀୟ ଆଇଟି ଇଞ୍ଜିନିୟରମାନଙ୍କ ବିରୋଧରେ ସେମାନେ ଖୋଲାଖୋଲି ମନ୍ତବ୍ୟ ଦେଉଛନ୍ତି । ଭାରତୀୟମାନଙ୍କୁ ଆସିବାକୁ ନଦେବା ଲାଗି ଏଚ୍‌-୧ବି ଭିସାକୁ ବଦଳାଇବା କିମ୍ବା ନିଷିଦ୍ଧ କରିବା ପାଇଁ ସେମାନେ ଦାବି କରିଛନ୍ତି ।

ଗତମାସରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ଆମେରିକାରେ ପ୍ରତିଭାଙ୍କ ଉପଲବ୍ଧତା ସଂପର୍କରେ ମାଇକ୍ରୋସଫ୍ଟ ଭ୍ରମିତ କରୁଥିବା ଅଭିଯୋଗ ବି ବାଢ଼ିଥିଲେ । ଆମେରିକାରେ ପ୍ରତିଭାବାନ ପିଲା ରହିବା ଆମେ ଚାହୁ । ୯୦୦୦ ଆମେରିକୀୟ କର୍ମଚାରୀଙ୍କୁ ବିଦା କରିବା ପରେ ଆମେ ଦେଶରେ କର୍ମଚାରୀ ପାଉନୁ ବୋଲି କହିବା ଅଗ୍ରହଣୀୟ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଆମେରିକାର ସମାନ ନିଯୁକ୍ତି ସୁଯୋଗ ଆୟୁକ୍ତ (ଇଇଓସି) ମଧ୍ୟ ଆମେରିକୀୟଙ୍କ ବଦଳରେ ବିଦେଶୀ କର୍ମଚାରୀଙ୍କୁ ପସନ୍ଦ କରୁଥିବା କମ୍ପାନିଗୁଡ଼ିକୁ ସତର୍କ କରାଇଛି । ଏହାର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଣ୍ଡ୍ରି ଲୁକାସ ଦେଶର ଆଇନ କଥା ସେମାନଙ୍କୁ ମନେ ପକାଇ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ଏଚ୍‌-୧ବି ଭିସା ସଂପର୍କରେ ଆମେରିକା ରାଷ୍ଟ୍ରପତି ଯଦି କୌଣସି ପ୍ରତିକୂଳ ପଦକ୍ଷେପ ନିଅନ୍ତି ତା’ହେଲେ ଭାରତୀୟ ଆଇଟି କର୍ମଚାରୀଙ୍କୁ ତାହା ପ୍ରଭାବିତ କରିବ । ୨୦୨୩-୨୪ ଆର୍ଥିକବର୍ଷରେ ପାଖାପାଖି ୨ ଲକ୍ଷ ୭ ହଜାର ଭାରତୀୟ ଏଚ୍‌-୧ବି ଭିସାରେ ଆମେରିକାକୁ ଯାଇଥିଲେ । ଭାରତର ଆଇଟି କର୍ମଚାରୀମାନେ ଏହି ଭିସା ଉପରେ କେତେ ମାତ୍ରାରେ ନିର୍ଭର କରୁଛନ୍ତି ତାହା ଏଥିରୁ ଅନୁମେୟ । ତେଣୁ ଏଚ୍‌-୧ବି ଭିସାରେ କୌଣସି ପରିବର୍ତ୍ତନ କିମ୍ବା କାର୍ଯ୍ୟାନୁଷ୍ଠାନ ପ୍ରଯୁକ୍ତି କ୍ଷେତ୍ରରେ ଭାରତ-ଆମେରିକାର ସଂପର୍କକୁ ଏବଂ ଭାରତର ଆଇଟି କର୍ମଚାରୀମାନଙ୍କୁ ବଡ଼ ଧରଣର କ୍ଷତି ପହଞ୍ଚାଇବ ।