କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ନେଇ ଡୋନାଲ୍ଡ ଟ୍ରମ୍ପ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ଯେତିକି ବିବାଦ, ସେତିକି ଚର୍ଚ୍ଚା । ଜେଲରେ ଓବାମା ଛିଡ଼ା ହୋଇଥିବା ଏଆଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଏବେ ଚର୍ଚ୍ଚା ।
ସତରେ କ’ଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଗିରଫ ହେଲେ କି ? ସତରେ କ’ଣ ଓଭାଲ ଅଫିସରୁ ତାଙ୍କୁ ଉଠାଇ ନେଲା କି ଏଫବିଆଇ ? ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଓବାମାଙ୍କୁ ହାତକଡ଼ି ପକାଇ ଜେଲ ପଠାଗଲା କି? ଦିନେ ଦୁନିଆର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ଦାୟିତ୍ବ ତୁଳାଇଥିବା ଓବାମା କାହିଁକି ଏଭଳି ଅସହାୟ ସ୍ଥିତିରେ ପହଁଚିଲେ । କାହିଁକି ଓବାମାଙ୍କୁ ଜେଲ୍ ପଠାଇଲେ ଟ୍ରମ୍ପ? ଏଥିସହ ଭିଡିଓରେ ଲେଖାଯାଇଛି ଆଇନର ଉର୍ଦ୍ଧ୍ବରେ କେହି ନୁହନ୍ତି । ଏହି ଭିଡିଓ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ବିବାଦ ସହିତ ଚର୍ଚ୍ଚା ମଧ୍ୟ ହେଲାଣି । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଏଆଇ ଭିଡିଓ ପୋଷ୍ଟ କରିଛନ୍ତି । ଯଦିଓ ଏହି ଭିଡିଓକୁ କିଛି ଲୋକ କେବଳ କୌତୁହଳ ଭାବି ନେଇଛନ୍ତି, କିନ୍ତୁ ଏହା ପଛର କାରଣ ଭାବେ ୨୦୧୬ ଘଟଣାକୁ ଯୋଡ଼ାଯାଉଛି । ନିକଟରେ ଏଫବିଆଇ ମୁଖ୍ୟ ତୁଲସୀ ଗୱାଡ ବଡ଼ ବୟାନ ଦେଇଥିଲେ । ୨୦୧୬ ନିର୍ବାଚନରେ ଓବାମା ବଡ଼ ଦୁର୍ନୀତି କରିଥିଲେ । ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ବିରୋଧରେ ଷଡ଼ଯନ୍ତ୍ର ରଚିଥିଲେ ଓବାମା । ସେନାର ଗୁପ୍ତ ତଥ୍ୟର ଅପବ୍ୟହାର କରିଥିଲେ । ତେଣୁ ତାଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ଠିକ ଏହାର କିଛି ଦିନ ପରେ ଓବାମାଙ୍କୁ ଟ୍ରମ୍ପ ଗିରଫ କରୁଥିବା ଭିଡିଓ ପୋଷ୍ଟ, ଏକଥାକୁ ଇଙ୍ଗିତ କରୁନି ତ? ସତରେ କ’ଣ ଆମେରିକା ସରକାର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ବିରୋଧରେ ବଡ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି କି ?