କନକ ବ୍ୟୁରୋ : କଥା ବଦଳାଇଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତିରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଦାବି କରିଆସୁଥିଲେ । ଏପରିକି ଏଥିପାଇଁ ତାଙ୍କୁ ଯେତିକି ପ୍ରଶଂସା ମିଳିବା କଥା, ସେତିକି ମିଳୁନାହିଁ ବୋଲି ଅଭିଯୋଗ କରିଥିଲେ । ହେଲେ ଏବେ କଥା ବଦଳାଇଛନ୍ତି ଟ୍ରମ୍ପ । ଯୁଦ୍ଧ ବିରତି ପାଇଁ ସେ ଉଭୟ ଭାରତ ଓ ପାକିସ୍ତାନର ନେତୃତ୍ବକୁ ପ୍ରଶଂସା କରିଛନ୍ତି । ହ୍ବାଇଟ୍ ହାଉସର ଓଭାଲ ଅଫିସରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଭେଟିଛନ୍ତି ଟ୍ରମ୍ପ । ସେ ଏହାପରେ କହିଛନ୍ତି ଉଭୟ ଭାରତ ଓ ପାକିସ୍ତାନର ନେତୃତ୍ବ ବୁଦ୍ଧିମାନ ଲୋକ । ତେଣୁ ସେମାନେ ଯୁଦ୍ଧ ଆଗକୁ ନବଢ଼ାଇ ଯୁଦ୍ଧବିରତି କରିବାକୁ ନିଷ୍ପତ୍ତି ନେଲେ । ବଡ଼କଥା ହେଲା ଏଥର ନିଜ ଭାଷଣରେ ଟ୍ରମ୍ପ ମଧ୍ୟସ୍ଥତା କରିଥିବା କଥା ଦାବି କରିନାହାନ୍ତି । ପହଲଗାମ୍ ଆତଙ୍କୀ ଆକ୍ରମଣର ଜବାବରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ପାକିସ୍ତାନ ଅଧିକୃତ କାଶ୍ମୀର ଓ ପାକିସ୍ତାନ ଭିତରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ମାଡ଼ କରିଥଲା ଭାରତୀୟ ବାୟୁସେନା । ଏହାପରେ ପାକିସ୍ତାନ ପକ୍ଷରୁ ଭାରତ ଉପରେ ଡ୍ରୋନ୍ ଓ ମିସାଇଲ ମାଡ଼ କରାଯାଇଥିଲା । ତେବେ ଭାରତର ମଜଭୁତ ପ୍ରତିରକ୍ଷା ବ୍ୟବସ୍ଥା ଏସବୁ ଡ୍ରୋନ୍ ଓ ମିସାଇଲକୁ ନଷ୍ଟ କରିବାରେ ସଫଳ ହୋଇଥିଲା । ତେବେ ଭାରତ ଏହାପରେ ପ୍ରଚଣ୍ଡ ପ୍ରହାର କରିଥିଲା । ପାକିସ୍ତାନର ୧୧ଟି ଏୟାର ବେସ୍ ଉପରେ ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଥିଲା । ଏଥିରେ ପାକିସ୍ତାନର ଏକାଧିକ ଏୟାରବେସକୁ କ୍ଷତି ପହଞ୍ଚିଥିଲା। ବ୍ୟାପକ କ୍ଷତି ହେବା ପରେ ପାକିସ୍ତାନର ବୁଦ୍ଧି ପଶିଥିଲା । ଆଉ ଯୁଦ୍ଧବିରତି ପାଇଁ ପାକିସ୍ତାନ ଡିଜିଏମଓ ଭାରତୀୟ ଡିଜିଏମଓଙ୍କୁ ଫୋନ କରିଥିଲେ । ତେବେ ଯୁଦ୍ଧବିରତି ପାଇଁ ଟ୍ରମ୍ପ ବାରମ୍ବାର ମଧ୍ୟସ୍ଥତା କରିଥିବା ଦାବି କରିଥିଲେ।