କନକ ବ୍ୟୁରୋ :  ମସ୍କୋ ଉପରେ ଆକ୍ରମଣ ଯୋଜନା । ପୁଟିନଙ୍କୁ ବଡ଼ ଝଟ୍‌କା ଦେବାକୁ ପ୍ରସ୍ତୁତି । ଜେଲେନସ୍କିଙ୍କ ସହ ମିଶି ମସ୍କୋ ଉପରେ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ଟ୍ରମ୍ପ । ଟ୍ରମ୍ପ ଏବେ ରୁଷିଆ ଉପରେ ଚାପ ବୃଦ୍ଧି କରିବାକୁ ଚାହୁଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବ୍ୟକ୍ତିଗତ ଭାବରେ ୟୁକ୍ରେନକୁ ରୁଷିଆ ଭିତରେ ଆକ୍ରମଣ କରିବାକୁ ଉତ୍ସାହିତ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ସେ ଏପରି ମଧ୍ୟ ପଚାରିଥିଲେ ଯେ, ଯଦି ଆମେରିକା ଦୂରଗାମୀ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଏ, ତେବେ ୟୁକ୍ରେନ ମସ୍କୋ ଏବଂ ସେଣ୍ଟ ପିଟର୍ସବର୍ଗକୁ ଟାର୍ଗେଟ କରିପାରିବ କି ? ଟ୍ରମ୍ପ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ସମ୍ପ୍ରତି ହୋଇଥିବା ଆଲୋଚନା ଉପରେ ଆଧାରିତ ଫାଇନାନ୍ସିଆଲ୍ ଟାଇମ୍ସ ଏବଂ ୱାଶିଂଟନ୍ ପୋଷ୍ଟର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଟ୍ରମ୍ପ୍ ଏବେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଉପରେ ଅଧିକ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରୁଛନ୍ତି । ପ୍ରାରମ୍ଭରେ ସେ ଆମେରିକା-ରୁଷିଆ ସମ୍ପର୍କକୁ ସହଜ କରିବାକୁ ଏବଂ ୟୁକ୍ରେନ ଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ । ଏବେ ସେ ରୁଷିଆକୁ କଠୋର ଆର୍ଥିକ ଦଣ୍ଡ ଏବଂ ନାଟୋ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ବିଷୟରେ କହୁଛନ୍ତି ।