କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ବିବାଦ ଭିତରେ ପାକିସ୍ତାନକୁ ଖୁଲମଖୁଲା ସମର୍ଥନ ଜଣାଇଛି ତୁର୍କୀ । କେବଳ ସମର୍ଥନ ଜଣାଇନି, ଭାରତ ଉପରେ ଆକ୍ରମଣ କରିବା ପାଇଁ ଡ୍ରୋନ୍ ଏବଂ ମିସାଇଲ୍ ମଧ୍ୟ ଯୋଗାଇଦେଇଛି । ପାକିସ୍ତାନକୁ ତୁର୍କୀର ସମର୍ଥନ ପରେ ଭାରତର କ୍ଷୋଭ ବଢିଛି । ବ୍ୟବସାୟ ହେଉ କି ପର୍ଯ୍ୟଟନ ସବୁ କ୍ଷେତ୍ରରେ ତୁର୍କୀ ସହ ସମ୍ପର୍କ କାଟିଛି ଭାରତ । ଏପରିକି ସୋସିଆଲ୍ ମିଡିଆରେ ବୟକଟ୍ ତୁର୍କୀ ଟ୍ରେଣ୍ଡ ହେବାରେ ଲାଗିଛି, କିନ୍ତୁ ଏହାରି ଭିତରେ ତୁର୍କୀକୁ ମିସାଇଲ୍ ବିକିବାର ନିଷ୍ପତ୍ତି ନେଇଛି ଆମେରିକା । ଗୋଟିଏ ପଟେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରି ବାଃ ବାଃ ନେଇଛନ୍ତି ଟ୍ରମ୍ପ, କିନ୍ତୁ ଅନ୍ୟପଟେ ଭାରତର ଶତ୍ରୁକୁ ମିସାଇଲ୍ ବିକ୍ରି କରୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।
ଆମେରିକା ତୁର୍କୀକୁ ୩୦୪ ମିଲିୟନ୍ ଡଲାର ମୂଲ୍ୟର ମିସାଇଲ୍ ବିକ୍ରୟ ପ୍ରସ୍ତାବକୁ ଅନୁମୋଦନ କରିଛି । ଏହି ଅନୁମୋଦନ ଏପରି ଏକ ସମୟରେ ଦିଆଯାଇଛି ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଅଛି ଏବଂ ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସାହାଯ୍ୟ କରୁଛି । ମିସାଇଲ୍ ଚୁକ୍ତିରେ ତୁର୍କୀ ପାଇଁ ଆକାଶରୁ ଆକାଶରେ ନିକ୍ଷେପ ହେଉଥିବା AIM- 120 AMRAAM ମିସାଇଲ୍ ଅନ୍ତର୍ଭୁକ୍ତ । ଏହା ସହିତ, ତୁର୍କୀ ୨୨୫ ମିଲିୟନ୍ ଡଲାର ମୂଲ୍ୟରେ ୫୩ଟି ଆଡଭାନ୍ସ ମିଡିୟମ୍ ରେଞ୍ଜ ମିସାଇଲ୍ ଏବଂ ୭୯.୧ ମିଲିୟନ୍ ଡଲାର ମୂଲ୍ୟରେ ୬୦ଟି ବ୍ଲାକ୍ ସେକେଣ୍ଡ ମିସାଇଲ୍ ଦେବାକୁ ଡିଲ୍ ହୋଇଛି । ଏହି ଚୁକ୍ତିକୁ ଆମେରିକୀୟ ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି ଦ୍ୱାରା ପ୍ରସ୍ତାବିତ କରାଯାଇଛି । ଯଦି ଏହା ଅନୁମୋଦନ ହୁଏ, ତେବେ ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବ ।
ଡବଲ୍ ଗେମ୍
ଆମେରିକାର ଏହି ପଦକ୍ଷେପ, ଆମେରିକା ଓ ତୁର୍କୀ ମଧ୍ୟରେ ଥିବା ସମ୍ପର୍କ ଏବଂ ନାଟୋ ସହଯୋଗକୁ ସୁଦୃଢ଼ କରିବ । ତୁର୍କୀ ନାଟୋର ଏକ ପ୍ରମୁଖ ସଦସ୍ୟ ଏବଂ ଆମେରିକାର ରଣନୈତିକ ସାମରିକ ଅଂଶୀଦାରମାନଙ୍କ ମଧ୍ୟରୁ ଜଣେ, କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯେତେବେଳେ ତୁର୍କୀ ଭାରତର ଶତ୍ରୁ ପାକିସ୍ତାନକୁ ସାମରିକ ସହାୟତା ଦେଉଛି, ସେତେବେଳେ ଆମେରିକା ଦ୍ୱାରା ତୁର୍କୀକୁ ମିସାଇଲ୍ ବିକ୍ରି କରିବା କ’ଣ ଭାରତ ବିରୁଦ୍ଧରେ ଏକ ପ୍ରକାରର ଡବଲ ଗେମ୍ ନୁହେଁ କି?
ପାକିସ୍ତାନକୁ ସହଯୋଗ କରିଥିଲା ତୁର୍କୀ
ଏହି ପ୍ରସଙ୍ଗ ସେତେବେଳେ ଅଧିକ ସମ୍ବେଦନଶୀଳ ହୋଇଯାଏ, ଯେତେବେଳେ ତୁର୍କୀ ପାକିସ୍ତାନକୁ ୩୫୦ରୁ ଅଧିକ ଡ୍ରୋନ୍ ଏବଂ ସକ୍ରିୟ ସୈନିକ ଯୋଗାଇଛି । ଏହି ଡ୍ରୋନଗୁଡ଼ିକୁ ଭାରତ ବିରୁଦ୍ଧରେ ବ୍ୟବହାର କରାଯାଉଥିଲା । କେବଳ ଏତିକି ନୁହେଁ, ଭାରତ ବିରୋଧରେ ଦିଆଯାଇଥିବା ବୟାନରେ ତୁର୍କୀ ମଧ୍ୟ ପାକିସ୍ତାନକୁ ସମର୍ଥନ କରିଛି । ଏପରି ପରିସ୍ଥିତିରେ, ଭାରତର ଜନତା ଏବଂ କୂଟନୈତିକ ବିଶ୍ଳେଷକମାନେ ପ୍ରଶ୍ନ ଉଠାଉଛନ୍ତି ଯେ, ଆମେରିକା ଏହି ଚୁକ୍ତିକୁ ବର୍ତ୍ତମାନ ପାଇଁ ବନ୍ଦ କରିବା ଉଚିତ ଥିଲା?
ଆମେରିକାର ଏହି ଚୁକ୍ତି ସ୍ପଷ୍ଟ କରୁଛି, ଡୋନାଲ୍ଡ ଟ୍ରମ୍ପ ବୋଧହୁଏ ଡବଲ୍ ଗେମ୍ ଖେଳୁଛନ୍ତି । ଗୋଟିଏ ପଟେ ଯୁଦ୍ଧ ବିରାମ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରି ପ୍ରଶଂସା ସାଉଁଟୁଛନ୍ତି, ଆଉ ଅନ୍ୟପଟେ ଭାରତର ଶତ୍ରୁ ସହ ମିସାଇଲ୍ ଡିଲ୍ କରି ଶତ୍ରୁ ସହ ହାତ ମିଳାଉଛନ୍ତି । ଏପରି ପରିସ୍ଥିତିରେ ଭାରତ ଆମେରିକା ଉପରେ ବିଶ୍ବାସ କରିବା କେତେ ଠିକ୍ ବୋଲି କୂଟନୈତିକ ବିଶ୍ଳେଷକମାନେ ପ୍ରଶ୍ନ ଉଠାଇଛନ୍ତି ।