କନକ ବ୍ୟୁରୋ : ଇରାନ ଓ ଇସ୍ରାଏଲ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ଇରାନର ଘନଘନ ମିସାଇଲ୍ ମାଡ଼ରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ଓ ସହରରେ ଲଗାତାର ସାଇରନ୍ ବାଜୁଛି । ଲୋକେ ନିରାପଦ ସ୍ଥାନ ବଙ୍କର୍ ଓ ଅନ୍ୟ ସ୍ଥାନରେ ଆଶ୍ରୟ ନେଉଛନ୍ତି । ଯୁଦ୍ଧ ମଧ୍ୟରେ ସମସ୍ତଙ୍କ ନଜର ଆମେରିକା ଉପରେ ରହିଛି । ଯୁଦ୍ଧ ନେଇ କି ପ୍ରକାରର ଆଭିମୁଖ୍ୟ ଗ୍ରହଣ କରାଯିବ ସେନେଇ ହ୍ବାଇଟ୍ ହାଉସରେ ବୈଠକ ପରେ ବୈଠକ ଚାଲିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ସିଧାସଳଖ ଧମକ ଦେଇଛନ୍ତି । ଏଭଳି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନୀରଙ୍କ ହ୍ବାଇଟ୍ ହାଉସରେ ବୈଠକ ନେଇ ଚର୍ଚ୍ଚା ଜୋର ଧରିଛି ।
ଏହି ସମୟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ, ପେଣ୍ଟାଗନର ପୂର୍ବ ଅଧିକାରୀ ମାଇରେଲ ରୁବିନ ବଡ଼ ଦାବି କରିଛନ୍ତି । ରୁବିନଙ୍କ କହିବା ଅନୁସାରେ ଇରାନର ପରମାଣୁ ସାମଗ୍ରୀ ରଖିବା ପାଇଁ ନିରାପଦ ସ୍ଥାନ ଖୋଜୁଛି ଆମେରିକା । ଆଉ ଏଥିପାଇଁ ପାକିସ୍ତାନ ପ୍ରଥମ ପସନ୍ଦ ହୋଇପାରେ । ରୁବିନ କହିଛନ୍ତି ‘ଇରାନ ବିରୋଧରେ ପାକିସ୍ତାନଠାରୁ ସହଯୋଗ ଚାହୁଁଛି ଆମେରିକା । ପାକିସ୍ତାନକୁ ବନ୍ଧୁ କହି କିଛି ହାସଲ କରିବାକୁ ଚାହୁଁଛନ୍ତି ଡୋନାଲ୍ଡ ଟ୍ରମ୍ପ । ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଶେଷ କରିବାକୁ ଚାହୁଛନ୍ତି ଆମେରିକା ରାଷ୍ଟ୍ରପତି । ଏଭଳି ହେଲେ ଇରାନର ପରମାଣୁ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିବ । ଏଥିପାଇଁ ପାକିସ୍ତାନକୁ ବାଛିପାରେ ଆମେରିକା । ନିକଟରେ ପାକିସ୍ତାନକୁ ଟ୍ରମ୍ପ ମିତ୍ର ଦେଶ ବୋଲି କହିଥିଲେ । ବିଶେଷଜ୍ଞଙ୍କ ମତରେ ଏହା ଆମେରିକାର ରାଜନୈତିକ ଚାପ ହୋଇପାରେ । ମୁନୀରଙ୍କୁ ସାକ୍ଷାତ ଏହାର ଏକ ଅଂଶ ବୋଲି ଚର୍ଚ୍ଚା । ପାକ୍ ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷା ଅସୀମ ମୁନୀର ଅଧିକ ଶକ୍ତିଶାଳୀ ବୋଲି ଚର୍ଚ୍ଚା । ତେଣୁ ମୁନୀରଙ୍କ ଉପରେ ଚାପ ପକାଉଛନ୍ତି ଆମେରିକା ରାଷ୍ଟ୍ରପତି । ଇରାନ ସହ ପାକିସ୍ତାନର ସୀମା ୯ ଶହ କିଲୋମିଟରକୁ ଲାଗିଛି ତେଣୁ ପାକିସ୍ତାନକୁ ଆକାଶ ସୀମା ମାଗିପାରେ ଆମେରିକା ।’