କନକ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫% ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ଏହାର ପ୍ରଭାବ ଇଲେକ୍ଟ୍ରୋନିକ୍ସ ଏବଂ 'ମେଡ୍ ଇନ୍ ଇଣ୍ଡିଆ' ସ୍ମାର୍ଟଫୋନ୍ ଉପରେ ପଡ଼ିବ କି ନାହିଁ । ଏହି ଟାରିଫ୍ କାରଣରୁ ଭାରତରେ କୌଣସି ଜିନିଷ ମହଙ୍ଗା ହେବ କି ?
ମହଙ୍ଗା ହେବ ଆଇଫୋନ୍?
ଆପଲ୍ ଧୀରେଧୀରେ ଚୀନରୁ ନିଜର ଉତ୍ପାଦନ ଲାଇନକୁ ଭାରତକୁ ସ୍ଥାନାନ୍ତର କରୁଛି । କିନ୍ତୁ ଟ୍ରମ୍ପ୍ଙ୍କ ଟାରିଫ୍ ପରେ ପରିସ୍ଥିତି ବଦଳିପାରେ । ଯଦି ବର୍ତ୍ତମାନର ସ୍ଥିତି ଜାରି ରହେ, ଅର୍ଥାତ୍ ଇଲେକ୍ଟ୍ରୋନିକ୍ ଉତ୍ପାଦଗୁଡ଼ିକ ଉପରୁ ଟାରିଫ ଛାଡ଼ ମିଳେ, ତେବେ ଆଇଫୋନର ମୂଲ୍ୟ ଉପରେ କୌଣସି ବିଶେଷ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଯଦି ଟାରିଫରେ ମିଳୁଥିବା ଛାଡ଼ ସମାପ୍ତ ହୋଇଯାଏ, ତେବେ 'ମେଡ୍ ଇନ୍ ଇଣ୍ଡିଆ' ଆଇଫୋନର ମୂଲ୍ୟ ନିଶ୍ଚିତ ଭାବରେ ପ୍ରଭାବିତ ହେବ । ଏପରି ସ୍ଥିତିରେ ଆପଲ୍ ପାଖରେ ଦୁଇଟି ରାସ୍ତା ରହିବ:
୧. କମ୍ପାନି ନିଜେ କ୍ଷତି ସହି ଶସ୍ତାରେ ଉତ୍ପାଦ ବିକ୍ରି କରିବ
୨. ବର୍ଦ୍ଧିତ ମୂଲ୍ୟକୁ ଗ୍ରାହକଙ୍କ ଉପରେ ଲଦି ଦେବ । ଅର୍ଥାତ୍ ଆଇଫୋନ୍ କିଣିବାକୁ ହେଲେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ଭାରତରେ କ'ଣ ରହିବ ପ୍ରଭାବ?
ଭାରତରେ ଆଇଫୋନ୍ ମହଙ୍ଗା ହେବାର କୌଣସି ବିଶେଷ କାରଣ ନାହିଁ । ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆପଲ୍ ସାରା ବିଶ୍ୱରେ ଆଇଫୋନର ମୂଲ୍ୟକୁ ପୁଣିଥରେ ନିର୍ଦ୍ଧାରଣ କରିବ । ତେଣୁ ବର୍ତ୍ତମାନ ପାଇଁ ଭାରତରେ ଆଇଫୋନର ମୂଲ୍ୟ ଉପରେ କୌଣସି ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ । ଆପଲ୍ ତୁରନ୍ତ ମୂଲ୍ୟ ବୃଦ୍ଧି ନ କରି, ଆଇଫୋନ୍ ୧୭ ସିରିଜ୍ ଲଞ୍ଚ ହେବା ପର୍ଯ୍ୟନ୍ତ ଅପେକ୍ଷା କରିପାରେ । ଆଇଫୋନ୍ର ନୂଆ ସିରିଜ୍ ସେପ୍ଟେମ୍ବରରେ ଲଞ୍ଚ୍ ହୋଇପାରେ । ଏହି ସମୟରେ କମ୍ପାନି ଆଇଫୋନ୍ ଦାମ୍ ପୁନଃନିର୍ଦ୍ଧାରଣ କରିପାରେ ।