କନକବ୍ୟୁରୋ : ଭାରତ ଆସୁଥିବା ଆମେରିକୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଟ୍ରମ୍ପ ସରକାର । ଦୁଷ୍କର୍ମ, ହିଂସା, ଆତଙ୍କବାଦକୁ ନେଇ ମାର୍ଗଦର୍ଶିକା ଜାରି ହୋଇଛି। ଏଥିରେ କୁହାଯାଇଛି ଯେ, ଭାରତରେ ଦୁଷ୍କର୍ମ ଅପରାଧ ବଢ଼ିଚାଲିଛି। ପର୍ଯ୍ୟଟନ ସ୍ଥଳରେ ଅସଦାଚରଣ ଓ ହିଂସା ବଢୁଛି । ପର୍ଯ୍ୟଟନ ସ୍ଥଳରେ ଆତଙ୍କବାଦୀ ଆକ୍ରମଣ ହେଉଛି । ମାର୍କେଟ୍, ସପିଂମଲ ଓ ପର୍ଯ୍ୟଟନ ସ୍ଥଳୀ ଅସୁରକ୍ଷିତ ହୋଇପଡ଼ିଛି । ତେଣୁ ଭାରତ ଆସୁଥିବା ଆମେରିକୀୟ ମହିଳା ପର୍ଯ୍ୟଟକ ଏକୁଟିଆ କୌଣସି ସ୍ଥାନକୁ ନଯିବାକୁ ଏଥିରେ ପରାମର୍ଶ ଦିଆଯାଇଛି ।
ଏହାସହ ଜମ୍ମୁ-କାଶ୍ମୀର, ଭାରତ-ପାକ୍ ସୀମାକୁ ନଯିବାକୁ ପରାମର୍ଶ ଦେଇଛି ଟ୍ରମ୍ପ ପ୍ରଶାସନ । ସେହିପରି ଭାରତରେ କାମ କରୁଥିବା ଆମେରିକୀୟ ନାଗରିକମାନଙ୍କୁ ଓଡ଼ିଶା ସମେତ ୬ଟି ରାଜ୍ୟକୁ ଯିବାକୁ ଆଗୁଆ ଅନୁମତି ନେବାକୁ କୁହାଯାଇଛି । ଅନ୍ୟ ୫ଟି ରାଜ୍ୟ ହେଲା ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମେଘାଳୟ ଓ ପଶ୍ଚିମବଙ୍ଗ । ଏହି ୬ଟି ରାଜ୍ୟର ରାଜଧାନୀକୁ ଯିବାକୁ ହେଲେ ଆମେରିକୀୟ ନାଗରିକଙ୍କ ପାଇଁ ଅନୁମତି ଆବଶ୍ୟକ ନାହିଁ, ହେଲେ ଯଦି ସେମାନେ ଅନ୍ୟ ଅଞ୍ଚଳକୁ ଯାଆନ୍ତି, ତାହେଲେ ଏଥିପାଇଁ ସେମାନଙ୍କୁ ଅନୁମତି ନେବାକୁ ପଡ଼ିବ ।