କନକ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭାରତ ବିରୋଧରେ କ୍ରମାଗତ ଭାବେ କଠୋର ମନ୍ତବ୍ୟ ଦେଇଆସୁଛି । ହ୍ଵାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଭାରତକୁ ସିଧାସଳଖ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଭାରତ ଆମେରିକାର ରଣନୈତିକ ସହଯୋଗୀ ହୋଇ ରହିବାକୁ ଚାହେ, ତେବେ ତାକୁ ସେହିଭଳି ଆଚରଣ ମଧ୍ୟ କରିବାକୁ ପଡ଼ିବ । ଏହି ବୟାନ ଏଭଳି ଏକ ସମୟରେ ଆସିଛି, ଯେତେବେଳେ ଭାରତ ଋଷରୁ ତେଲ ଆମଦାନୀ ଜାରି ରଖିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଚୀନ ଗସ୍ତ କରିବାକୁ ଯାଉଛନ୍ତି । ନାଭାରୋଙ୍କ ବୟାନ ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି । ଆମେରିକା ଅଭିଯୋଗ କରି ଆସିଛି ଯେ ଭାରତ ଋଷିଆରୁ ତେଲ କିଣିବା ଦ୍ୱାରା ମସ୍କୋକୁ ୟୁକ୍ରେନ ଯୁଦ୍ଧ ଜାରି ରଖିବା ପାଇଁ ଆର୍ଥିକ ସହାୟତା ମିଳୁଛି ।

ତେଲ କିଣାକୁ ନେଇ ଆମେରିକାର ଅସନ୍ତୋଷ

Advertisment

ଫାଇନାନ୍ସିଆଲ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ ପିଟର ନାଭାରୋ ଭାରତ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ, ଭାରତ ଏକ "ବିଶ୍ୱସ୍ତରୀୟ କ୍ଲିୟରିଂ ହାଉସ୍" ଭଳି କାମ କରୁଛି । ସେ କହିଛନ୍ତି ଯେ ଭାରତ ଋଷର ପ୍ରତିବନ୍ଧିତ ଅଶୋଧିତ ତେଲକୁ ପ୍ରୋସେସ୍ କରି ଦାମୀ ରପ୍ତାନିରେ ପରିଣତ କରୁଛି, ଯାହାଦ୍ୱାରା ମସ୍କୋକୁ ଡଲାର ମିଳୁଛି ।

ଆମେରିକାର ରଣନୈତିକ ସ୍ୱାର୍ଥ ବିରୋଧୀ ପଦକ୍ଷେପ

ଟ୍ରମ୍ପ ପ୍ରଶାସନର ମତରେ ଭାରତର ଏହି ପଦକ୍ଷେପ ଆମେରିକାର ରଣନୈତିକ ସ୍ୱାର୍ଥର ବିରୁଦ୍ଧାଚରଣ କରୁଛି । ଏହି କାରଣରୁ ଡୋନାଲ୍ଡ ଟ୍ରମ୍ପ ଋଷିଆଠାରୁ ତେଲ କିଣିବା ଯୋଗୁଁ ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ଲଗାଇଛନ୍ତି । ଏହା ସହିତ ଭାରତ ଉପରେ ମୋଟ ଆମେରିକୀୟ ଶୁଳ୍କ ୫୦% ପର୍ଯ୍ୟନ୍ତ ପହଞ୍ଚିଛି ।
ତେବେ, ଏହି ମାମଲାରେ ଆମେରିକାର ଦୋମୁହାଁ ନୀତି ମଧ୍ୟ ସାମ୍ନାକୁ ଆସିଛି । ନିକଟରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଟ୍ରମ୍ପଙ୍କ ସାକ୍ଷାତ ପରେ ଏହା ଜଣାପଡିଛି ଯେ ଆମେରିକା ନିଜେ ଋଷ ସହିତ ୨୦% ଅଧିକ ବ୍ୟବସାୟ କରିଛି । ଏହି ଦୋହରା ମାପଦଣ୍ଡକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ କହିସାରିଛି ଯେ ଭାରତକୁ ଅନୈତିକ ଢଙ୍ଗରେ ଟାର୍ଗେଟ୍‌ କରାଯାଉଛି ।

ଚୀନ ସହ ସମ୍ପର୍କକୁ ନେଇ ବି ଆମେରିକାର ଆପତ୍ତି

କେବଳ ଋଷିଆ ନୁହେଁ, ଭାରତ ଓ ଚୀନ ମଧ୍ୟରେ ବଢୁଥିବା ଘନିଷ୍ଠତା ନେଇ ମଧ୍ୟ ଆମେରିକାର ଆପତ୍ତି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଚଳିତ ମାସ ଶେଷ ବେଳକୁ  ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବାକୁ ଯାଉଛନ୍ତି । ଏହା ବ୍ୟତୀତ, ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ସୀମା ବିବାଦ ଉପରେ ଆଲୋଚନା ପାଇଁ ଭାରତ ଗସ୍ତରେ ଅଛନ୍ତି । ନାଭାରୋ ଅଭିଯୋଗ କରିଛନ୍ତି ଯେ ଯଦି ଭାରତ ଉଭୟ ଋଷ ଓ ଚୀନ ସହ ନିଜ ସମ୍ପର୍କକୁ ମଜଭୁତ କରେ, ତେବେ ଆମେରିକା ପାଇଁ ଭାରତକୁ ଆଧୁନିକ ଅସ୍ତ୍ରଶସ୍ତ୍ର ଦେବା ବିପଦପୂର୍ଣ୍ଣ ହୋଇପାରେ । ଏହି ବୟାନ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଟ୍ରମ୍ପ ପ୍ରଶାସନ ଭାରତର ରଣନୈତିକ ସ୍ୱାଧୀନତାକୁ ପସନ୍ଦ କରୁନାହିଁ ।

ବାଣିଜ୍ୟ ଚୁକ୍ତି ଉପରେ ସଙ୍କଟ

ଏହି ବଢୁଥିବା ବିବାଦର ପ୍ରଭାବ ଆମେରିକା ଓ ଭାରତ ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଉପରେ ମଧ୍ୟ ପଡ଼ିଛି । ଅଗଷ୍ଟ ୨୫ରୁ ୨୯ ମଧ୍ୟରେ ଭାରତ ଆସିବାକୁ ଥିବା ଆମେରିକୀୟ ବାଣିଜ୍ୟ ଟିମ୍ ନିଜ ଗସ୍ତକୁ ସ୍ଥଗିତ ରଖିଛି । ଏଥିରୁ ସଙ୍କେତ ମିଳୁଛି ଯେ କେବଳ ଦୁଇ ଦେଶ ମଧ୍ୟରେ ଖାଲି ତିକ୍ତତା ବଢ଼ିବ ନାହିଁ, ବରଂ ବାଣିଜ୍ୟ ଚୁକ୍ତି ମଧ୍ୟ ବିପଦରେ ପଡ଼ିପାରେ । ଭାରତ ଉପରେ ଲଗାଯାଇଥିବା ଅତିରିକ୍ତ ଶୁଳ୍କ ଅଗଷ୍ଟ ୨୭ରୁ ଲାଗୁ ହେଉଛି ଏବଂ ବର୍ତ୍ତମାନ ଏଥିରେ କୌଣସି ପ୍ରକାରର ଆଶ୍ୱସ୍ତି ମିଳିବାର ସମ୍ଭାବନା କମ୍ ।