କନକ ବ୍ୟୁରୋ: ଭାରତ ଓ ଆମେରିକା ମଧ୍ୟରେ ଟାରିଫ୍‌ ବିବାଦ ଅଧିକ ଘନେଇପାରେ। କାରଣ ଆମେରିକାର ରାଷ୍ଟ୍ରପତିଙ୍କ ତାଜା ବୟାନ ସେଭଳି କିଛି ଇସାରା କରୁଛି । ଭାରତ ଉପରେ ୫୦% ରୁ ଆହୁରି ଅଧିକ ଟାରିଫ୍‌ ଲଗାଇପାରେ ଆମେରିକା ।  ରୁଷଠୁ ଯିଏ ଯେତେ ଅଧିକ ତେଲ କିଣୁଛନ୍ତି ସେମାନଙ୍କ ଉପରେ ଲାଗିବ ଅଧିକ ପ୍ରତିବନ୍ଧକ । ସେହି ଦେଶ ଦେବେ ଅଧିକ ଟାରିଫ। ଆଗକୁ ୟୁରୋପୀୟ ସଂଘ ସହ ମିଶି ଦେଶମାନଙ୍କ ଉପର ଅଧିକ ରପ୍ତାନୀ ଶୁଳ୍କ ଲଗାଇବାକୁ ଚାଲିଛି ଯୋଜନା । ଏହି ଇସାରା ଦେଇଛନ୍ତି ଆମେରିକା ଅର୍ଥ ସଚିବ ସ୍କଟ ବେସେଣ୍ଟ । ସିଧାସଳଖ ଭାରତର ନାଁ ନନେଇ ସ୍କଟ କହିଛନ୍ତି, ଯଦି ଆମେରିକା ଏବଂ ୟୁରୋପୀୟ ସଂଘ ମିଳିତ ଭାବରେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ଅଧିକ ଶୁଳ୍କ ଲଗାଇବେ, ତେବେ ରୁଷର ଅର୍ଥନୀତି ଭୁଶୁଡ଼ି ପଡ଼ିବ । ଆଗାମୀ ଦିନରେ ଭାରତ ଉପରେ ଅଧିକ ଚାପ ପଡ଼ିପାରେ । 

Advertisment

ଆମେରିକାର ଲକ୍ଷ୍ୟ ହେଉଛି ରୁଷର ରାଜସ୍ୱ ଉତ୍ସକୁ ବନ୍ଦ କରିବା। ରୁଷ ୟୁରୋପ ଏବଂ ଆମେରିକାରୁ ବିଚ୍ଛିନ୍ନ ହୋଇଛି, କିନ୍ତୁ ଭାରତ ଏବଂ ଚୀନ୍ ଭଳି ଦେଶ ଯୋଗୁଁ ରୁଷର ତେଲ କାରବାର ଏବେ ସୁଦ୍ଧା ପ୍ରଭାବିତ ହୋଇନି ।  ଏହି କାରଣରୁ ଆମେରିକା ଭାରତକୁ ଲଗାତାର ଟାର୍ଗେଟ୍‌ କରୁଛି ।

ସେପଟେ ଭାରତ ଉପରେ ଆମେରିକାର ଟାରିଫକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେନେଲସ୍କି ସମର୍ଥନ କରିଛନ୍ତି । ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଭାରତ କୂଟନୈତିକ ସ୍ତରରେ ଉଦ୍ୟମ କରୁଥିବା ବେଳେ ଜେଲେନସ୍କିଙ୍କ ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି ।  ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜେଲେନସ୍କି କହଛନ୍ତି, ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ୍ ଏକ ଭଲ ପଦକ୍ଷେପ । ରୁଷ ସହିତ ଯେଉଁ ଦେଶ ବାଣିଜ୍ୟ କରୁଛନ୍ତି, ତାଙ୍କ ଉପରେ ଆମେରିକାର ଟାରିଫ୍ ଯଥାର୍ଥ ବୋଲି ଜେଲେନସ୍କି କହିଛନ୍ତି । ସେପଟେ ରୁଷ ଉପରେ ଅଧିକ ଟାରିଫ୍ ଲଗାଇବା ପାଇଁ ଆମେରିକା ବିଚାର କରୁଛି । ତାକୁ ମଧ୍ୟ ଜେଲେନସ୍କି ସମର୍ଥନ କରିଛନ୍ତି। ନିକଟରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ରୁଷଠୁ ତେଲ କିଣିବା ଉପରେ ବଡ ବୟାନ ଦେଇଥିଲେ । ତୈଳ ଆମଦାନୀ ସମ୍ପୂର୍ଣ୍ଣ ଭାବରେ ଜାତୀୟ ସ୍ୱାର୍ଥ ।  ଏହା କୌଣସି ତୃତୀୟ ଦେଶର ରାଜନୀତି ଦ୍ୱାରା ପ୍ରଭାବିତ ହେବନି