କନକ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ବିରୋଧରେ ଏକ କଡ଼ା ମନ୍ତବ୍ୟ ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଭାରତ ଋଷ୍ ଠାରୁ ଶସ୍ତାରେ ତେଲ କିଣି ତାହାକୁ ବିକ୍ରି କରି ପ୍ରଚୁର ଲାଭ କମାଉଛି । ଭାରତ ଉପରେ "ପ୍ରତିଶୋଧମୂଳକ ଶୁଳ୍କ" ଲଗାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ ।
ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, "ଭାରତ ଆମକୁ ଲୁଟୁଛି, ବିଶେଷକରି ଶୁଳ୍କ ମାମଲାରେ । ସେମାନେ ଆମ ସାମଗ୍ରୀ ଉପରେ ଅତ୍ୟଧିକ ଶୁଳ୍କ ଲଗାଉଛନ୍ତି ।" ସେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସମାଲୋଚନା କରି କହିଛନ୍ତି, "ଆପଣ ଦେଖନ୍ତୁ, ଭାରତ ଋଷଠାରୁ ଶସ୍ତାରେ ତେଲ କିଣୁଛି, ତାହାକୁ ବିଶୋଧନ କରୁଛି ଏବଂ ପୁଣି ସେହି ତେଲକୁ ବିକ୍ରି କରି ବିପୁଳ ପରିମାଣର ଲାଭ ଅର୍ଜନ କରୁଛି ।" ଟ୍ରମ୍ପ ଏହାକୁ ଏକ ପ୍ରକାର "ଚତୁର" କାରବାର ବୋଲି ବର୍ଣ୍ଣନା କରିଛନ୍ତି ।
ଏହା ପୂର୍ବରୁ ତାଙ୍କର ବରିଷ୍ଠ ପରାମର୍ଶଦାତା ଷ୍ଟିଫେନ୍ ମିଲର୍ ମଧ୍ୟ ସମାନ ଅଭିଯୋଗ ଆଣି କହିଥିଲେ ଯେ ଭାରତ ଋଷରୁ ତେଲ କିଣି ୟୁକ୍ରେନ ଯୁଦ୍ଧ ପାଇଁ ପରୋକ୍ଷରେ ଅର୍ଥ ଯୋଗାଉଛି । ଯଦିଓ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଉପରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ । ତେବେ ପୂର୍ବରୁ ଭାରତ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି ।
ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବାରମ୍ବାର କହିଛନ୍ତି ଯେ ଭାରତ ନିଜର ଜାତୀୟ ସ୍ୱାର୍ଥ ଏବଂ ଶକ୍ତି ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନେଉଛି । ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଋଷ ଉପରେ କଟକଣା ଲଗାଇଥିଲେ, ଯାହାଫଳରେ ଋଷ ରିହାତି ଦରରେ ଅଶୋଧିତ ତୈଳ ବିକ୍ରି କରିବା ଆରମ୍ଭ କଲା ।