କନକ ବ୍ୟୁରୋ:  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ୫୦%  ଟାରିଫ ଭାରତରେ ପ୍ରଭାବ ପକାଇବା ଆରମ୍ଭ କରିଛି ।  ଭାରତର ଏକ  ରାଜ୍ୟ ପାଇଁ ବହୁତ କ୍ଷତିକାରକ ପ୍ରମାଣିତ ହୋଇଛି ଟାରିଫ ।  ଟ୍ରମ୍ପଙ୍କ ଟାରିଫ୍ ଅନେକ କ୍ଷେତ୍ରକୁ ପ୍ରଭାବିତ କରିବାକୁ ଯାଉଛି ଏବଂ ବୟନ ଶିଳ୍ପ ଏହା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ଜଣାପଡ଼ିଛି । ଦ୍ୱିଗୁଣିତ ଟାରିଫ୍ ଯୋଗୁଁ  କେବଳ ତାମିଲନାଡୁ ବୟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ୩୪,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାର ସମ୍ଭାବନା ଅଛି ।  ଏହା ଅନେକ ଲୋକଙ୍କ ଚାକିରି ଉପରେ ଗଭୀର ପ୍ରଭାବ ପକାଇଛି ।  ତାମିଲନାଡୁ  ମୁଖ୍ୟମନ୍ତ୍ରୀ  ଏମ.କେ ଷ୍ଟାଲିନ୍‌ ନିଜେ ଏହି ଆକଳନ ପ୍ରଦାନ କରିଛନ୍ତି ଏବଂ ଏହାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । 

Advertisment

ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ଆମଦାନୀ ଶୁଳ୍କ ସେମାନଙ୍କ ରାଜ୍ୟର ଅର୍ଥନୀତିକୁ ବଡ଼ ଧରଣର ପ୍ରଭାବିତ କରିଛି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ନୀତି ଯୋଗୁଁ ରାଜ୍ୟକୁ ୩୪,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଏହି କ୍ଷତି କେବଳ ଆର୍ଥିକ ଦିଗରୁ ନୁହେଁ, ବରଂ ରାଜ୍ୟର ବିଭିନ୍ନ ଶିଳ୍ପ, କୃଷି, ଏବଂ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଛି । ତାମିଲନାଡୁ ରପ୍ତାନିକାରୀଙ୍କ ମଧ୍ୟରେ ଆମେରିକାର ଶୁଳ୍କ ଚିନ୍ତା ବଢ଼ାଇଛି । 

ଯେଉଁମାନଙ୍କ ପାଇଁ ଆମେରିକା ଦୀର୍ଘଦିନ ଧରି ଏକ ପ୍ରମୁଖ ରପ୍ତାନି ବଜାର ହୋଇଆସିଛି। ଗତ ଆର୍ଥିକ ବର୍ଷରେ, ରାଜ୍ୟର ମୋଟ ରପ୍ତାନିର ୩୧ ପ୍ରତିଶତ ଆମେରିକାକୁ ହୋଇଥିଲା, ଯାହା ଜାତୀୟ ହାର ୨୦ ପ୍ରତିଶତ ତୁଳନାରେ ବହୁତ ଅଧିକ। ବିଜନେସ୍ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ଶୁଳ୍କ ଦ୍ୱିଗୁଣିତ ହେବା ଦ୍ୱାରା ଅର୍ଡର ବାତିଲ୍‌ ହୋଇସାରିଛି । ଏବଂ ତାମିଲନାଡୁର ରପ୍ତାନି ଅପ୍ରତିଦ୍ୱନ୍ଦ୍ୱୀ ହୋଇପଡ଼ିଛି, ବିଶେଷକରି ବୟନଶିଳ୍ପ, ଯନ୍ତ୍ରପାତି, ରତ୍ନ ଏବଂ ଅଳଙ୍କାର ଏବଂ ଅଟୋ ପାର୍ଟସ କ୍ଷେତ୍ରରେ। 

 ୩୬ ପ୍ରତିଶତ ଚାକିରି ବିପଦରେ । ସିଏମ ଷ୍ଟାଲିନଙ୍କ ଅନୁସାରେ, ବୟନ ଶିଳ୍ପ ଉପରେ ଆମେରିକା ଶୁଳ୍କର ପ୍ରଭାବ ସବୁଠାରୁ ଚିନ୍ତାଜନକ।   ଏବଂ ଶୁଳ୍କ ଦ୍ୱାରା ପ୍ରଭାବିତ ଶିଳ୍ପଗୁଡ଼ିକରେ କାମ କରୁଥିବା ଲୋକଙ୍କ ଚାକିରି ଗୁରୁତର ବିପଦରେ ଅଛି । ଏହି ସଂଖ୍ୟା ଉପସ୍ଥାପନ କରି  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ସମସ୍ତ କ୍ଷେତ୍ରରୁ ୧୩ ପ୍ରତିଶତରୁ ୩୬ ପ୍ରତିଶତ ଲୋକ ଚାକିରି ହରାଇପାରନ୍ତି ।

 ମୁଖ୍ୟମନ୍ତ୍ରୀଙ୍କ ସୂଚନାନୁସାରେ, ଏହି ଟାରିଫ୍ ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି। ଏଥିମଧ୍ୟରେ ଟେକ୍ସଟାଇଲ୍ ଶିଳ୍ପ, କୃଷି ଉତ୍ପାଦ, ହସ୍ତଶିଳ୍ପ ଏବଂ କିଛି ମାନୁଫାକ୍ଚରିଂ ୟୁନିଟ୍ ପ୍ରମୁଖ। ଏହି କ୍ଷେତ୍ରଗୁଡ଼ିକ ରାଜ୍ୟର ଅର୍ଥନୀତିର ମେରୁଦଣ୍ଡ ଭଳି, ଯାହା ଅନେକ ଲୋକଙ୍କୁ ରୋଜଗାର ଯୋଗାଇଥାଏ । ଟାରିଫ୍ ଯୋଗୁଁ ରପ୍ତାନି କମିବା ଫଳରେ ଏହି କ୍ଷେତ୍ରଗୁଡ଼ିକରେ କାର୍ଯ୍ୟ କରୁଥିବା ହଜାର ହଜାର ଲୋକ ଚାକିରି ହରାଇଛନ୍ତି କିମ୍ବା ସେମାନଙ୍କର ଆୟ କମିଯାଇଛି ।