କନକ ବ୍ୟୁରୋ : ଆଜି ଶପଥ ଗ୍ରହଣ କରିବେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି । ଆମେରିକା ରାଜନୀତିରେ ଏହି ଚେହେରା, କୌଣସି ଚମତ୍କାରଠୁ କମ ନୁହେଁ, ଦୁନିଆଁ ଯାହାଙ୍କୁ ଡୋନାଲ୍ଡ ଟ୍ରମ୍ପ ନାଁରେ ଜାଣିଛି । ଗତବର୍ଷ ଦ୍ବିତୀୟ ଥର ପାଇଁ ନିର୍ବାଚନ ଜିଣି ସେ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି । ଏଥିପାଇଁ ଟ୍ରମ୍ପଙ୍କୁ ଶପଥ ସମାରୋହକୁ ଅନାଇଛି ସାରା ବିଶ୍ବ ।
ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ
ସମାରୋହ ଆମେରିକାରେ ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ହେବ
ଭାରତୀୟ ସମୟ ଅନୁସାରେ ରାତି ୧୦:୩୦ ସମୟରେ ଅନୁଷ୍ଠିତ ହେବ
ଆମେରିକାର ମୁଖ୍ୟ ବିଚାରପତି ଟ୍ରମ୍ପଙ୍କୁ ଶପଥପାଠ କରାଇବେ
ଏହା ପରେ ରାଷ୍ଟ୍ରପତି ଟ୍ରମ୍ପ ଅଭିଭାଷଣ ରଖିବେ
ଭାଷଣ ପରେ ଔପଚାରିକ ପ୍ରେସିଡେନ୍ସିଆଲ ଲଂଚ୍ ହେବ
ଆମେରିକାରେ ଟ୍ରମ୍ପଙ୍କ ଶପଥ ଗ୍ରହଣକୁ ନେଇ ଏଭଳି କ୍ରେଜ ରହିଛି ଯେ, ଭିଆଇପି ପାସ କେବେଠୁ ସରିଯାଇଛି । ଅନେକ ପ୍ରମୁଖ ଲୋକଙ୍କୁ ଭିଆଇପି ପାସ ମିଳିପାରିନାହିଁ । ବିଶ୍ବର ଏହି ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ଶପଥଗ୍ରହଣକୁ ନେଇ ଭାରତରେ ବି ଉତ୍ସହ ଦେଖିବାକୁ ମିଳିଛି । ବାଲୁକା କଳା ଓ ଚିତ୍ରକଳା ମାଧ୍ୟମରେ ଟ୍ରମ୍ପଙ୍କୁ ଅଭିନେନ୍ଦନ ଜଣାଇଛନ୍ତି ଅନେକ ପ୍ରଶଂସକ । ସେହିପରି ଟ୍ରମ୍ପଙ୍କ କାର୍ଯ୍ୟକ୍ରମରେ ଆମ୍ବାନୀ ପରିବାରକୁ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଟ୍ରମ୍ପଙ୍କ ଟିମରେ ଅନେକ ଭାରତୀୟ ରହିବା ନେଇ ଜଣାପଡିଛି । ତୁଲସି ଗାବାର୍ଡଙ୍କ ଠାରୁ ଆରମ୍ଭ କରି କ୍ୟାସ ପଟେଲଙ୍କ ପର୍ଯ୍ୟନ୍ତ ସଭିଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେହିପରି ଏହା ବି ଚର୍ଚ୍ଚା ହେଉଛି ଯେ ଆମେରିକାରେ ଟ୍ରମ୍ପଙ୍କ ଶାସନ ଆଣିବ ଭାରତ ପାଇଁ ଅନେକ ଫାଇଦା ।
ହ୍ବାଇଟ୍ ହାଉସକୁ ଟ୍ରମ୍ପଙ୍କ ଏଣ୍ଟ୍ରି
ଭାରତ ଉପରେ କ'ଣ ରହିବ ପ୍ରଭାବ?
ମୋଦିଙ୍କ ସହ ଟ୍ରମ୍ପଙ୍କ ଘନିଷ୍ଠ ସମ୍ପର୍କ ରହିଛି
ଭାରତ-ଆମେରିକା ସମ୍ପର୍କ ଅଧିକ ମଜଭୁତ ହେବ
ନୂଆଦିଲ୍ଲୀ ପାଇଁ ଟ୍ରମ୍ପ ସାଜିପାରନ୍ତି ଜଣେ ଉତ୍ତମ ବନ୍ଧୁ
ବାଣିଜ୍ୟ, ବେପାର ପ୍ରସଙ୍ଗରେ ଉପକୃତ ହେବ ଭାରତ
ଅର୍ଥବ୍ୟବସ୍ଥା ଉପରେ ପଡ଼ିପାରେ ପ୍ରତିକୂଳ ପ୍ରଭାବ
ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ମଜଭୁତ ହେବ ସମ୍ପର୍କ
ପାକିସ୍ତାନକୁ ଘେରିବା ଭାରତକୁ ହେବ ସହଜ
ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବି ଅଧିକ ମଜଭୁତ ହେବ
ରପ୍ତାନୀ କ୍ଷେତ୍ରରେ ଭାରତକୁ ଲାଭ
ଭାରତୀୟ ଗ୍ୟାସ ବିତରଣ କମ୍ପାନୀଙ୍କୁ ମିଳିପାରେ ଫାଇଦା
ବଦଳିଛି ଆମେରିକାର ରାଜନୀତି, ପୁଣି ଥରେ ଫେରିଛି ଟ୍ରମ୍ପ ଶାସନ । ଏବେ ୪ ବର୍ଷ ପରେ ବିଶ୍ବରେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ପ୍ରଶ୍ନ ଉଠୁଛି, ଦ୍ବିତୀୟଥର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ କଣ ଦୁନିଆର ନକ୍ସ ବଦଳାଇଦେବେ। ଆମେରିକା ଫାଷ୍ଟର ନାରା ଦେଉଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ ପାଳି କେମିତି ରହିବ ତା ଉପରେ ସମସ୍ତଙ୍କ ନଜର ରହିବ।