କନକ ବ୍ୟୁରୋ : ଏବେର ଆଧୁନିକ ସମାଜ ଭିତରେ ପ୍ରକୃତ ପ୍ରେମ ପାଇବା ସେତେ ସହଜ ନୁହେଁ । ପ୍ରେମ...ଏବେ କାହା ପାଇଁ କେମିତି ତା ବି ବୁଝିବା କଷ୍ଟକର । ପ୍ରତିଦିନ କେଉଁଠୁ ନା କେଉଁଠି ସ୍ୱାମୀ-ସ୍ତ୍ରୀଙ୍କ କଳି ଝଗଡ଼ାର ଖବର ଆସୁଛି ତ ଆଉ କେଉଁଠି ସ୍ୱାମୀ ସ୍ତ୍ରୀକୁ ନହେଲେ ସ୍ତ୍ରୀ ସ୍ୱାମୀକୁ ହତ୍ୟା କରିବାର ଖବର ଆମେ ଦେଖୁଛେ ।  ଡିଭର୍ସ , ହତ୍ୟା , କଳିଝଗଡ଼ା ଏବେ ଏତେ ମାତ୍ରାରେ ବଢ଼ି ଯାଇଛି ଯେ ବେଳେବେଳେ ଲାଗୁଛି ଏ ସମାଜରୁ କଣ ପ୍ରକୃତ ମରି ମରି ଯାଉଛି ?  କିନ୍ତୁ ନା , ଏବେ ବି ଏ ଦୁନିଆରେ ନିଚ୍ଛକ ଭଲପାଇବା ବଞ୍ଚିକି ଅଛି । ଯାହାର ସଦ୍ୟତମ ଉଦାହରଣ ନୋଏଡାର ଏହି ଦମ୍ପତି ।

Advertisment

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା, ଛାଡପତ୍ର ,ହତ୍ୟା ଏବଂ ଘଟୁଥିବା ଗୁରୁତର ଅପରାଧ ସମୟରେ, ପ୍ରକୃତ ପ୍ରେମ ଏବେ ବି ଲୋକଙ୍କ ମଧ୍ୟରେ ଜୀବିତ ରହିଛି । ଉତ୍ତରପ୍ରଦେଶର ନୋଏଡାରୁ ହୃଦୟ ଜିତିଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସ୍ତ୍ରୀମାନେ କରୱା ଚୌଥ ବ୍ରତ ରଖିଥାନ୍ତି । ସ୍ତ୍ରୀଟିଏ ଚାହେଁ ତାର ସ୍ୱାମୀ ସାରାଜୀବନ ସୁସ୍ଥ ରୁହନ୍ତୁ । କିନ୍ତୁ ଏଠି ଘଟଣାଟି ବ୍ୟତିକ୍ରମ , ସ୍ତ୍ରୀର ସ୍ୱାସ୍ଥ୍ୟ ପାଇଁ ସ୍ୱାମୀ କରିଛନ୍ତି ନିଜ କିଡ୍‌ନି ଦାନ । କରୱାଚୌଥ ଦିନ ନୋଏଡାରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ମହତ କାର୍ଯ୍ୟ କରିଛନ୍ତି । ୫୦ ବର୍ଷୀୟ ପୱନ ରାୱତ କରବା ଚୌଥ ଦିନ ତାଙ୍କ ପତ୍ନୀ ମନୀଷା ରାୱତଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ନିଜର କିଡନୀ ଦାନ କରିଥିଲେ । ନୋଏଡାର ଏକ ଘରୋଇ ଡାକ୍ତରଖାନାରେ ଡାକ୍ତର ଅନୁଜା ପୋରୱାଲ ଏବଂ ଡାକ୍ତର ପୀୟୁଷ ବାଷ୍ଣେୟଙ୍କ ଚିକିତ୍ସାରେ ମନୀଷା ରାୱତଙ୍କ ସଫଳ କିଡନୀ ପ୍ରତିରୋପଣ କରାଯାଇଥିଲା ।

ସୂଚନା ଅନୁସାରେ ମନୀଷା ରାୱତ ୨୦୨୧ ରେ କିଡ୍‌ନି ରୋଗରେ ପୀଡିତ ଥିଲେ । କ୍ରମାଗତ ଚିକିତ୍ସା ସତ୍ତ୍ୱେ ତାଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା । ଚଳିତ ବର୍ଷ ଏପ୍ରିଲରେ ତାଙ୍କର ଦୁଇଟିଯାକ କିଡ୍‌ନି ଖରାପ ହୋଇଯାଇଥିଲା । ଜୁଲାଇରେ ତାଙ୍କୁ ଦୁଇଥର ହାର୍ଟ ଆଟାକ୍ ମଧ୍ୟ ହୋଇଥିଲା । ଏହା ପରେ ଡାକ୍ତରମାନେ କହିଥିଲେ ଯେ ଦୀର୍ଘ ଜୀବନ ପାଇଁ କିଡ୍‌ନି ପ୍ରତିରୋପଣ ହିଁ ଏକମାତ୍ର ବିକଳ୍ପ।

ମନୀଷାଙ୍କ ୬୮ ବର୍ଷୀୟା ମା' ତାଙ୍କ କିଡ୍‌ନି ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ତାଙ୍କର ଅଧିକ ବୟସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତାଙ୍କୁ ମନା କରିଥିଲେ । ଏହା ପରେ ସ୍ୱାମୀ ପୱନ କହିଥିଲେ ମୋ ସ୍ତ୍ରୀର ଜୀବନ ବଞ୍ଚାଇବା ମୋର କର୍ତ୍ତବ୍ୟ । ମୁଁ ମୋର କିଡ୍‌ନି ଦେଇ ମୋ କର୍ତ୍ତବ୍ୟକୁ ପୂରଣ କରିବି । ସେ ମୋ ସହ ସାରା ଜୀବନ ବଞ୍ଚିରହିବା ଦରକାର । ଶେଷରେ ସେଇଆ ହିଁ ହେଲା , ପୱନ କରୱାଚୌଥ ଦିନ ନିଜର କିଡ୍‌ନି ଦେଇ ସ୍ତ୍ରୀ ମନୀଷାକୁ ବଞ୍ଚାଇ ଦେଲେ । ଯାହାକୁ ଦେଖି ହସ୍ପିପାଟଲ୍‌ର ସମସ୍ତ ଡାକ୍ତକମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି । ବର୍ତ୍ତମାନର ସମାଜରେ ବଢ଼ୁଥିବା ସ୍ୱାମୀ-ସ୍ତ୍ରୀଙ୍କ କଳହ ଭିତରେ ଏ ଘଟଣା ନିଶ୍ଚୟ କିଛି ଶିକ୍ଷା ଦେବ ।