କନକ ବ୍ୟୁରୋ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟରେ ବିଳମ୍ବିତ ରାତିରେ ମହିଳାଙ୍କୁ ଟ୍ରକ୍ ଡ୍ରାଇଭର ଅପହରଣ ଘଟଣା । ଅପହୃତା ମହିଳାଙ୍କୁ କେନ୍ଦୁଝର ଆନନ୍ଦପୁର ବରପଦାରୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଲା ପୁଲିସ୍‌। ସେପଟେ ଅପହରଣ କରିଥିବା ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିବା ସହ ଟ୍ରକ୍‌କୁ ଜବତ କରିଛି ପୁଲିସ୍‌ । ଟ୍ରକ୍‌ଟି ଏବେ ଭଦ୍ରକ ସହରାଞ୍ଚଳ ଟାଉନ୍ ଥାନାରେ ରହିଛି। କେଉଁ କାରଣରୁ ଏଭଳି କାଣ୍ଡ ଭିଅଇଲା ଅଭିଯୁକ୍ତ ସେନେଇ ପୁଲିସ୍ ତଦନ୍ତ କରୁଛି । ପୂର୍ବରୁ ମହିଳାଙ୍କୁ ଅପହରଣ କରିବାବେଳର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଟ୍ରକ୍‌ ଡ୍ରାଇଭର ଜଣଙ୍କ ଏକୁଟିଆ ଠିଆ ହୋଇଥିବା  ସୁଯୋଗ ନେଇ ମହିଳାଙ୍କୁ ଜୋର ଜବରଦସ୍ତ ଉଠାଇ ନେଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।

Advertisment

ଗତ ଶୁକ୍ରବାର ରାତି ଅଧରେ ବର୍ଷା ଯୋଗୁଁ ଏକ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିଲେ ଜଣେ ମହିଳା । ନିଛାଟିଆ ଦେଖି ମହିଳାଙ୍କୁ ଟେକି ନେଇଥିଲା ଟ୍ରକ୍ ଡ୍ରାଇଭର୍ । ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ସେହି ଛାତିଥରା ଦୃଶ୍ୟ । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ୧୬ ନମ୍ୱର ଜାତୀୟ ରାଜପଥ ପୁଲିସ ରିଜର୍ଭ ଅଫିସ ନିକଟରେ ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଥିଲା । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଚମ୍ପା ଫାଣ୍ଡି ଛକ ନିକଟରେ ଅଟକିଥିଲା ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ରକ୍ । ଏକୁଟିଆ ମହିଳାଙ୍କୁ ଦେଖି ଟ୍ରକ୍ ଡ୍ରାଇଭର ଗାଡ଼ି ଅଟକାଇଥିଲା ଏବଂ ଜୋର ଜବରଦସ୍ତ ଅପହରଣ କରି ଟ୍ରକରେ ପଳାଇଥିବା ଦେଖିବାକୁ ମିଳିଥିଲା । ମହିଳା ଜଣକ ମାନସିକ ଅନଗ୍ରସର ବୋଲି ଚର୍ଚ୍ଚା ହେଉଥିଲା । ଘଟଣା ଜଣାପଡ଼ିବା ପରେ ଭଦ୍ରକରେ ହଇଚଇ ଖେଳିଯାଇଥିଲା । ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବା ସହିତ ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଥିଲା ।