କନକ ବ୍ୟୁରୋ: ଚା’ ଦୋକାନ ଉପରେ ମାଡ଼ିଗଲା ହାଇୱା । ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ନିକଟ ଜାମୁଡିହି ଟୋଲ୍ ଗେଟ୍ ନିକଟରେ ଅଭାବନୀୟ ଘଟଣା ଘଟିଛି । ସନ୍ଧ୍ୟା ସମୟରେ ଲୋକେ ଚା’ ପିଉଥିବା ବେଳେ ହଠାତ୍ ଚା’ ଦୋକାନ ଉପରେ ଚଢ଼ିଯାଇଥିଲା ମାଲ୍ ବୋଝେଇ ହାଇୱା ଗାଡ଼ି । ମାଟି ତଳେ ପୋତି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅଧିକ ଲୋକେ ମାଟି ତଳେ ଫସିରହିଥିବା ସନ୍ଦେହ କରୁଛି ପୋଲିସ୍ । ଘଟଣା ସ୍ଥଳରେ କେ. ବଲାଙ୍ଗ ପୋଲିସ୍ ଓ କୋଇଡା ଅଗ୍ନିଶମ ବିଭାଗ ପହଁଛି ତଦନ୍ତ କରୁଛନ୍ତି ।
ସେପଟେ ବେପରୁଆ ଗାଡ଼ି ଚାଳନା କାଳ ହେଉଥିବା ରିପୋର୍ଟ ବି ଆସିଛି । ସୂଚନା ଅନୁସାରେ, ବିଗତ ତିନି ବର୍ଷରେ ମଦ୍ୟପାନ ଯୋଗୁଁ ଘଟିଲାଣି ୨୧୯୭ଟି ଦୁର୍ଘଟଣା । ଚେକିଂ ବେଳେ ୨୨ ହଜାର ୬୭୨ ମଦ୍ୟପ ଗାଡ଼ି ଚାଳକ ଧରା ପଡିଥିବା ବେଳେ ୧୧ ହଜାର ୩୭୭ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି । ସେହଭଳି ଗତ ୫ ବର୍ଷରେ ୫୬ ହଜାର ୮୩୧ଟି ସଡ଼କ ଦୁର୍ଘଟଣାରେ ୨୭ ହଜାର ୧୬୭ଟି ଜୀବନ ଯାଇଛି ଏବଂ ୫୦ ହଜାର ୪୧ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏହାକୁ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା ।
ରାଜ୍ୟରେ କେଉଁ ବର୍ଷ କେତେ ଦୁର୍ଘଟଣା ଘଟିଛି ଏବଂ କେଉଁ ବର୍ଷ କେତେ ଲୋକ ମୃତାହତ ହୋଇଛନ୍ତି ସେ ବାବଦରେ ପ୍ରଶ୍ନ କରିଥିଲେ ବିଧାୟକ ଟଙ୍କଧର ତ୍ରିପାଠୀ । ଖାଲି ସେତିକି ନୁହେଁ, ଦୁର୍ଘଟଣା ଯୋଗୁଁ କେତେ ସମ୍ପତ୍ତି ନଷ୍ଟ ହୋଇଛି ଓ କେତେ ମଦୁଆ ଗାଡ଼ି ଚାଳକ ଧରା ପଡ଼ିଛନ୍ତି ? ସେମାନଙ୍କ ବିରୋଧରେ କ'ଣ ପଦକ୍ଷେପ ନିଆଯାଉଛି ତାହାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ଝାରସୁଗୁଡ଼ା ବିଧାୟକ ।
ରାଜ୍ୟ ଅପରାଧ ଶାଖାରୁ ସଂଗୃହୀତ ତଥ୍ୟ ମୁତାବକ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ନିଶାପାନ ଗାଡ଼ି ଚଳାଇବା ବେଳେ ୨୧୯୭ ଦୁର୍ଘଟଣା ଘଟିଛି । ୨୨ ହଜାର ୬୭୨ ମଦ୍ୟପ ଗାଡ଼ି ଚାଳକ ଧରା ପଡ଼ିଛନ୍ତି । ୧୧ ହଜାର ୩୭୭ ଜଣଙ୍କ ଲାଇସେନ୍ସ ବାତିଲ କରାଯାଇଛି । ସେମାନଙ୍କଠାରୁ ଜରିମାନା ଆଦାୟ କରିବାକୁ ନେଇ ମାମଲା କୋର୍ଟରେ ବିଚାରାଧୀନ ଅଛି ।