କନକ ବ୍ୟୁରୋ: ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା । ମିସନ୍ ଅକ୍ସିୟମ-୪ର ନେତୃତ୍ବ ନେବେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ମହାକାଶରେ ତ୍ରିରଙ୍ଗା ଉଡ଼ାଇବାକୁ ଭାରତ ଏବେ ପୁଣି ଥରେ ପ୍ରସ୍ତୁତ ହେଉଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏହାର ନେତୃତ୍ବ ଦେଉଛନ୍ତି । ଅକ୍ସିୟମ-୪ ମିସନ୍ ଅଧୀନରେ ଡ୍ରାଗନ୍ ମହାକାଶ ଯାନ ଆଗାମୀ ୧୦ ତାରିଖ ମଙ୍ଗଳବାର ଆମେରିକାରୁ ମହାକାଶ ଅଭିମୁଖେ ଉଡ଼ାଣ ଭରିବ । ଭାରତୀୟ ସମୟ ସକାଳ ୬ଟା ୧୨ ମିନିଟରେ ଏହି ଅଭିଯାନ ଆରମ୍ଭ ହେବ ।

Advertisment

ରାକେଶଙ୍କ ପରେ ଶୁଭାଂଶୁ

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଆଇଏସ୍‌ଏସ୍ ଅଭିମୁଖେ ଐତିହାସିକ ଅକ୍ସିୟମ-୪ ମିସନ୍‌ରେ ଯିବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସାରିଛନ୍ତି । କାଲି ନାସାର କେନେଡି ସ୍ପେସ୍‌ ସେଣ୍ଟରରୁ ସ୍ପେସ୍‌ଏକ୍ସ ର ଫାଲକନ-୯ ରକେଟ୍‌ ଓ ଡ୍ରାଗନ ସ୍ପେସକ୍ରାଫ୍ଟରେ ଏହି ମିସନ ଉଡ଼ାଣ ଭରିବ । ଶୁକ୍ଲା ଏହି ମିସନର ପାଇଲଟ ଭାବେ ଦାୟିତ୍ୱ ନେବେ ଏବଂ ଏହା ହେଉଛି ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ପରେ ଭାରତର ଦ୍ୱିତୀୟ ମହାକାଶ ଯାତ୍ରା । ଶୁଭାଂଶୁ ସ୍ପେସଏକ୍ସ ଟିମ୍ ସହ ପୂର୍ଣ୍ଣାଙ୍ଗ ଲଞ୍ଚ୍‌ ରିହର୍ସାଲ ସଫଳତାର ସହ ସମ୍ପନ୍ନ କରିଛନ୍ତି, ଯେଉଁଥିରେ ଫାଲକନ-୯ର ଷ୍ଟାଟିକ ଫାୟାର ଟେଷ୍ଟ ମଧ୍ୟ ଥିଲା । 

ଶୁକ୍ଲା କହିଛନ୍ତି, ମୁଁ ନିଜକୁ ଅତ୍ୟନ୍ତ ସୌଭାଗ୍ୟଶାଳୀ ମନେ କରୁଛି ଯେ ମୁଁ ଏହି ବୃହତ ମିସନ୍‌ର ଅଂଶ ହେଉଛି । ୩୯ ବର୍ଷୀୟ ଶୁଭାଂଶୁ ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପଟେନ୍‌ ଲକ୍ଷ୍ନୌ ବାସିନ୍ଦା ଏବଂ ନ୍ୟାସନାଲ ଡିଫେନ୍ସ ଏକାଡେମିରୁ କମ୍ପ୍ୟୁଟର ସାଇନ୍ସରେ ବିଏସ୍‌ ଡିଗ୍ରି ଓ ବେଙ୍ଗାଲୁରୁରୁ ଏମ୍‌ଟେକ୍‌ କରିଛନ୍ତି । ତାଙ୍କୁ ସ୍ପେସଏକ୍ସ ଓ ଅକ୍ସିୟମ ସ୍ପେସ୍ ଦ୍ୱାରା ବିଶେଷ ତାଲିମ ଦିଆଯାଇଛି । ୧୪ ଦିନିଆ ଏହି ମିସନରେ ଶୁକ୍ଲା ଇସରୋ ଓ ବାୟୋଟେକ୍ନୋଲୋଜି ବିଭାଗ ଦ୍ୱାରା ପ୍ରସ୍ତୁତ ୭ଟି ପରୀକ୍ଷଣ ସହ ନାସାର ୫ଟି ମାନବ ଗବେଷଣା ଅଧ୍ୟୟନରେ ଅଂଶଗ୍ରହଣ କରିବେ । ଏହି ମିସନ ଭାରତର ଗଗନଯାନ ମିସନ ୨୦୨୭ ପାଇଁ ମଧ୍ୟ ଅଭିଜ୍ଞତା ଯୋଗାଇବ । ଅନ୍ତର୍ଜାତୀୟ ଅନ୍ତରୀକ୍ଷ ଷ୍ଟେସନ୍ ଆଇଏସ୍‌ଏସ୍ ଅଭିମୁଖେ ୨୯ ଘଣ୍ଟାର ଉଡ଼ାଣ ହେବ, ଯାହା ଜୁନ୍ ୧୧ ମଧ୍ୟାହ୍ନ ୧୨:୩୦ରେ ଡକିଂ କରିବ । ଶୁକ୍ଳା ଆଇଏସ୍‌ଏସ୍‌ରେ ପ୍ରଥମ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ହେବେ । ମିସନ୍‌ରେ ଶୁକ୍ଳା ପାଇଲଟ୍ ଭାବେ ଦାୟିତ୍ୱ ନେବେ, ଯେଉଁଥିରେ ନାଭିଗେସନ୍, ଡକିଂ ଓ ଜରୁରୀ ପରିସ୍ଥିତି ନିୟନ୍ତ୍ରଣ ଅନ୍ତର୍ଭୁକ୍ତ । ପୂର୍ବତନ ନାସା ଅନ୍ତରୀକ୍ଷ ଯାତ୍ରୀ ପେଗି ହ୍ୱିଟସନ୍ ମିସନର ନେତୃତ୍ୱ ନେବେ । ପୋଲାଣ୍ଡର ସ୍ଲାୱୋଜ ଉଜନାନ୍ସକି-ୱିସ୍ନିୱସ୍କି ଓ ହଙ୍ଗେରୀର ଟିବର କାପୁ ମିସନ ସ୍ପେଶାଲିଷ୍ଟ ଭାବେ ସାମିଲ ହେବେ । ଏହି ୪ ଜଣିଆ ଦଳ ଆଇଏସ୍‌ଏସ୍‌ରେ ୧୪ ଦିନ ବିତାଇବେ । 

ଶୁକ୍ଳା ଭାରତୀୟ ଅନୁଷ୍ଠାନଗୁଡ଼ିକ ଦ୍ୱାରା ପରିକଳ୍ପିତ ସାତଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ କରିବେ । ଏଥିରେ ମେଥି ଓ ମୁଗ ଜାତୀୟ ଶସ୍ୟର ଅଙ୍କୁରଣ, ମାଂସପେଶୀ ଅକ୍ଷମତା ଉପରେ ମାଇକ୍ରୋଗ୍ରାଭିଟିର ପ୍ରଭାବ ଏବଂ ଅନ୍ତରୀକ୍ଷରେ କମ୍ପ୍ୟୁଟର ସ୍କ୍ରିନ୍‌ର ବ୍ୟବହାରର ଶାରୀରିକ ଓ ଜ୍ଞାନଗତ ପ୍ରଭାବ ଅଧ୍ୟୟନ ଅନ୍ତର୍ଭୁକ୍ତ । ଏହି ଗବେଷଣା ଅନ୍ତରୀକ୍ଷ କୃଷି, ବାୟୋଟେକ୍ନୋଲୋଜି ଓ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ ।  ଶୁକ୍ଲା ଭାରତୀୟ ସଂସ୍କୃତିର ପ୍ରତୀକ ନେଇ ଯୋଗାଭ୍ୟାସ କରିବେ ଓ ତାଙ୍କ ଅଭିଜ୍ଞତାକୁ ଫଟୋ ଓ ଭିଡିଓରେ ରେକର୍ଡ କରି ଦେଶବାସୀଙ୍କ ସହ ବାଣ୍ଟିବେ । ଶୁକ୍ଳା କହିଛନ୍ତି, ଏହା କେବଳ ମୋର ଯାତ୍ରା ନୁହେଁ, ଏହା ୧.୪ ବିଲିୟନ୍ ଭାରତୀୟଙ୍କ ସ୍ୱପ୍ନର ଯାତ୍ରା । ଏହି ମିସନ ଭାରତର ଅନ୍ତରୀକ୍ଷ ଅଭିଯାନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ।