କନକ ବ୍ୟୁରୋ: ବିଶ୍ବ ଦେଖିଲା ଭାରତର ସାମର୍ଥ୍ୟ ।  ଆଜି ୭୬ ତମ ଗଣତନ୍ତ୍ର ଦିବସରେ ଦେଶରେ ଫର ଫର ହୋଇ ଉଡିଛି ତ୍ରିରଙ୍ଗା ।  ଦିଲ୍ଲୀ କର୍ତ୍ତ୍ୟବ ପଥରେ ଚିତ୍ତାକର୍ଷକ ପରେଡ ଦେଖିଛନ୍ତି ସାରା ବିଶ୍ବବାସୀ । ବ୍ରହ୍ମୋସ, ଆକାଶ, ପିନାକ ଭଳି ମିଜାଇଲ ନିଜର ପରାକ୍ରମ ପ୍ରଦର୍ଶନ କରିଥିଲେ । ଆକାଶରେ ଦମ୍ ଦେଖାଇଥିଲେ ରାଫେଲ ଓ ଆପାଚେ ।

Advertisment

ପଲ୍ଳୀରୁ ଦିଲ୍ଲୀ ସବୁଠି ଉତ୍ସବର ମାହୋଲ। ଦେଶ ପାଳିଛି ୭୬ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କର୍ତ୍ତବ୍ୟ ପଥରେ ଫରଫର ହୋଇ ଉଡ଼ିଥିଲା ତ୍ରିରଙ୍ଗା। 

ଦିଲ୍ଲୀ କର୍ତ୍ତବ୍ୟ ପଥରେ ତ୍ରିରଙ୍ଗା ଉତ୍ତୋଳନ ପରେ ଚତ୍ତାକର୍ଷକ ପରେଡ ଦେଖିଛି ସାରାବିଶ୍ବ। ପରେଡରେ ଅଂଶଗ୍ରହଣ କରି ପରାକ୍ରମ ଦେଖାଇଛନ୍ତି ଭାରତର ଜଳ, ସ୍ଥଳ ୱ ବାୟୁସେନା । ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉତ୍ସବରେ ସାମିଲ ହୋଇ ପାଖରୁ ଭାରତୀୟ ସେନାର ସାମର୍ଥ୍ୟ ଦେଖିଛନ୍ତି ଇଣ୍ଡୋନୋସିଆ ରାଷ୍ଟ୍ରପତି ପ୍ରବୋବୋ ସୁବିୟାନ୍ତୋ। 

ପରେଡରେ ପ୍ରଥମେ ପଦାତିକ ବାହିନୀ ଭାରତୀୟ ସେନାର ଅନନ୍ୟ କ୍ଷମତା ପ୍ରଦର୍ଶନ କରିଥିଲା। ସ୍ବତନ୍ତ୍ର ଭାବେ ନିର୍ମିତ ଏଟିଭି ‘ଚେତକ’ ଓ ‘କପିଧ୍ବଜ’ ଆଗରେ ଚାଲିଥିଲେ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତୁରନ୍ତ ଜବାବ ଦେଇପାରୁଥିବା ନନ୍ଦିଘୋଷ ଓ ତ୍ରିପୁରାନ୍ତକ ଯୁଦ୍ଧାସ୍ତ୍ର ସାମିଲ କରାଯାଇଥିଲା। ବ୍ରହ୍ମୋସ, ଆକାଶ, ପିନାକ ଭଳି ମିଜାଇଲ ସିଷ୍ଟମ ଭାରତର ଆତ୍ମନିର୍ଭରଶୀଳତାକୁ ପ୍ରଦର୍ଶିତ କରିଥିଲା। ସ୍ବଳ୍ପ ଦୂରଗାମୀ ପ୍ରଳୟ ମିଜାଇଲକୁ ଦେଖିଥିଲା ଦୁନିଆ। 

ସେହିପରି ଯୁଦ୍ଧପୋତ ଓ ସୁସଜ୍ଜିତ ଯୁଦ୍ଧାସ୍ତ୍ରକୁ ପ୍ରଦର୍ଶିତ କରିଥିଲା ନୌବାହିନୀ। ନାଭି କମାଣ୍ଡୋ ଦେଖାଇଥିଲେ ଅସୀମ ଶକ୍ତିର ଝଲକ। ତଟରକ୍ଷୀ ବାହିନୀର ବୀରମାନେ ପରେଡରେ ଦମ୍ ଦେଖାଇଥିଲେ। 

ପରେଡରେ ସାମିଲ ହୋଇଥଲେ ଏୟାରଫୋର୍ସର ୨୨ ଲଢୁଆ ବିମାନ। ଆକାଶ ଚିରି ଦେଖାଇଥିଲେ ଭାରତୀୟ ବାୟୁ ସେନାର ସାମର୍ଥ୍ୟ। ଘର୍ଘର ନାଦରେ ଉଡ଼ି ଆକାଶରେ ଦମ୍ ଦେଖାଇଥିଲେ ରାଫେଲ ଓ ଆପାଚେ। ଯୁଦ୍ଧ ବିମାନର ଗର୍ଜନରେ କମ୍ପିଥିଲା ପୂରା ଅଞ୍ଚଳ। ଆକାଶରେ କଳାକୌଶଳ ପ୍ରଦର୍ଶନ କରିଥିଲେ ଦୁର୍ଦ୍ଧଷ ପାଇଲଟ୍। ଭାରତୀୟ ଆକାଶ ବାହିନୀର ଏହି ପରାକ୍ରମ ସମସ୍ତଙ୍କ ମଧ୍ୟରେ ଭରି ଦେଇଥିଲା ରୋମାଞ୍ଚ । ଅନ୍ୟପଟେ ଶ୍ରତୁରାଷ୍ଟ୍ରର ବଢ଼ି ଯାଇଥିଲା ହୃଦକମ୍ପନ। 

ଏହି ଅବସରରେ କର୍ତ୍ତବ୍ୟପଥରେ ଗଡ଼ିଥିଲା ୩୧ଟି ପ୍ରଜ୍ଞାପନ ମେଢ଼। ୧୬ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଂଚଳ ଓ କେନ୍ଦ୍ର ମନ୍ତ୍ରାଳୟର ୧୫ ପ୍ରଜ୍ଞାପନ ମେଢ଼ରେ ଝଲସିଥିଲା ଭାରତୀୟ କଳା ଓ  ସଂସ୍କୃତି।..  ସବୁଠୁ ଆକର୍ଷଣୀୟ ଥିଲା ୫ହଜାର କଳାକାରଙ୍କ ଏକାଠି ନୃତ୍ୟ ପ୍ରଦର୍ଶନ। କର୍ତ୍ତବ୍ୟ ପଥରେ ଏକକାଳୀନ ଏତେ ସଂଖ୍ୟାରେ କଳାକାର କଳା ପ୍ରଦର୍ଶନ କରି ଭାରତୀୟ ଏକତାର ବାର୍ତ୍ତା ଦେଇଥିଲେ। 

ପରେଡ ସମାପନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଭାରତ ମାତା କି ଜୟ ଧ୍ବନିରେ କମିଥିଲା ପୂରା ପରିବେଶ।