କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତିନି ଦିନିଆ ଅଖିଳ ଭାରତୀୟ ପ୍ରତିନିଧୀ ସଭା ଶୁକ୍ରବାର ଦିନ ବେଙ୍ଗାଲୁରୁରେ ଆରମ୍ଭ ହୋଇଛି । ବୈଠକ ଆରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ତବଲା ବାଦକ ଜାକିର୍ ହୁସେନ ସମେତ ସଂଘର ଦିବଙ୍ଗତ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।

Advertisment

ସଂଘର ସହ ସରଚାଳକ ସିଆର୍ ମୁକୁନ୍ଦ ମଣିପୁରରେ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି କି, ୨୦ ମାସ ଧରି ମଣିପୁରବାସୀ ଅସ୍ୱାଭାବିକ ପରିସ୍ଥିତି ଦେଇ ଗତି କରୁଛନ୍ତି। ହେଲେ ଏବେ କେନ୍ଦ୍ର ସରକାର ପ୍ରଶାସନିକ ସ୍ତରରେ ନେଇଥିବା କିଛି ନିଷ୍ପତ୍ତି ପରେ ସ୍ଥିତି ବଦଳିବ ବୋଲି ଆଶା କରାଯାଉଛି । ହେଲେ ରାଜ୍ୟର ସ୍ଥିତି ବଦଳିବାକୁ ଦୀର୍ଘ ସମୟ ଲାଗିବ ବୋଲି ସେ କହିଛନ୍ତି । 

କେବଳ ମଣିପୁର ନୁହେଁ ସଂଘ ମଞ୍ଚରେ ତାମିଲନାଡୁ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ  ଚାଲିଥିବା ଭାଷା ବିବାଦକୁ ନେଇ ମଧ୍ୟ ଆଲୋଚନା ହୋଇଛି । ସଂଘର ସହ ସରଚାଳକ ସିଆର୍ ମୁକୁନ୍ଦ କହିଛନ୍ତି ଯେ, କିଛି ଶକ୍ତି ଦେଶର ଏକତାକୁ ଚ୍ୟାଲେଞ୍ଜ୍ ଦେଉଛନ୍ତି । ସେହିମାନେ ଉତ୍ତର ଓ ଦକ୍ଷିଣ ଭିତରେ ବିବାଦ ସୃଷ୍ଟି କରୁଛନ୍ତି । ଏସବୁ ରାଜନୀତି ପ୍ରଣୋଦିତ ବୋଲି ସେ କହିଛନ୍ତି ।

ସେପଟେ ସଂଘର ଗତିବିଧି ଏବେ ୭୩,୬୪୬ ସ୍ଥାନରେ ଚାଲିଛି । ଯାହା ମଧ୍ୟରେ ୫୧,୭୧୦ଟି ସ୍ଥାନରେ ପ୍ରତିଦିନ ଶାଖା ଚାଲୁଛି । ଚଳିତ ବର୍ଷ ସଂଘର ନୂଆ ୧୦ ହଜାର ଶାଖା ଖୋଲିଛି । ସାପ୍ତାହିକ ଗତିବିଧି ବି ଗତବର୍ଷ ତୁଳନାରେ ୪୪୩୦ ଟି ଶାଖାରେ ବଢିଛି । ଅନ୍ୟପଟେ  ହରିଆଣା ଓ ମହାରାଷ୍ଟ୍ରରେ ବିଜେପିର ବିଜୟ ପରେ ସଂଘ ଏବେ ବିହାରରେ ଆକ୍ଟିଭ୍ ହୋଇଛି । ଏଠାରେ ସଂଘ ଚୁପ୍ଚାପ ବିଜେପି ସଂଗଠନକୁ ମଜବୁତ କରିବା ସହ ସଂଘ ପରିବାରକୁ ମଜବୁତ କରିବା କାମରେ ଲାଗିଛି ।