କନକ ବ୍ୟୁରୋ: ଝାଡଖଣ୍ଡରେ ଆସନ୍ତା ମାସରେ ହେବ ନିର୍ବାଚନ । ଆଉ ଏହି ରାଜ୍ୟର ପ୍ରାୟ ୨୮ଟି ଆସନରେ ଆଦିବସୀ ଭୋଟର ନିର୍ଣ୍ଣାୟକ ଭୂମିକା ନେଉଥିବାରୁ ଏହି ଭୋଟ ବ୍ୟାଙ୍କ ଉପରେ ନଜର ପକାଇଛି ବିଜେପି । ଆଉ ଏଥିପାଇଁ ଓଡିଶାକୁ ଅସ୍ତ୍ର କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ ।  ଏଥିପାଇଁ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝି, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେପିର ଆଦିବାସୀ ସାଂସଦ ଓ ବିଧାୟକ ।  

Advertisment

ବିଜେପି ପାଇଁ ଝାଡଖଣ୍ଡ ନିର୍ବାଚନ ବହୁତ ଗୁରୁତ୍ୱପୂର୍ଣ୍ଣ ।  ଆଉ ଏଥିପାଇଁ କେନ୍ଦ୍ରୀୟ ବିଜେପିର ମୁଖ୍ୟ ଅସ୍ତ୍ର ହେଉଛି ଓଡିଶା । ଓଡିଶାରେ ଡବଲ ଇଞ୍ଜିନ ସରକାର ହେବା ପରେ  ଶହେ ଦିନର ସଫଳତାର ଚିତ୍ରକୁ  ଝାଡଖଣ୍ଡରେ ଉପସ୍ଥାପନ କରିବ ବିଜେପି । ଆଉ ଏହାର ମଙ୍ଗ ଧରିବେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ରାଜ୍ୟର ଝାଡଖଣ୍ଡ ସୀମାବର୍ତ୍ତୀ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଜିଲ୍ଲା ଓ ଆଦିବାସୀ ବହୁଳ ଅଚଂଳରେ ଏମାନେ ପ୍ରଚାରକୁ ଜୋରଦାର କରିବେ ।  ଝାଡଖଣ୍ଡରେ ଅଛନ୍ତି  ୨୮% ଆଦିବାସୀ । ଏମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି କେନ୍ଦ୍ରୀୟ ନେତୃତ୍ୱ ।

ଝାଡଖଣ୍ଡର ମୋଟ ୮୧ ଆସନରୁ ୨୮ ଆସନରେ ଆଦିବାସୀ ଭୋଟ ନିର୍ଣ୍ଣାୟକ ହେବ। ଅର୍ଥାତ ଆଦିବାସୀ ହିଁ ସରକାର ଗଠନରେ ପ୍ରମୁଖ ଭୂମିକା ନେବେ। ତେଣୁ ଓଡିଶା ବିଜେପିର ୧୮ ଆଦିବାସୀ ବିଧାୟକ ଓ ୩ ସାସଂଦ ଏହି ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ। 

ଝାଡଖଣ୍ଡ ନିର୍ବାଚନ ପାଇଁ ସମୟ ଏକମାସରୁ କମ ରହିଛି । ଏଥିପାଇଁ ରାଜ୍ୟ ବିଜେପି ନେତା ଝାଡଖଣ୍ଡରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝି ଦୁଇଦିନ ଧରି ଝାଡଖଣ୍ଡରେ ପରିବର୍ତ୍ତନ ସଭା ମାଧ୍ୟମରେ ପ୍ରଚାର କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସାଂସଦ ମମତା ମହନ୍ତ ପ୍ରମୁଖ ବିଜେପି ପାଇଁ ପ୍ରଚାର କରିଛନ୍ତି । ଆଗକୁ ଜନଜାତି ସଂପ୍ରଦାୟର ସାଂସଦ ଓ ବିଧାୟକ ଝାଡଖଣ୍ଡ ଯାଇ ସେଠାରେ ପ୍ରଚାର କରିବେ।

ଝାଡଖଣ୍ଡରେ ସୁଭଦ୍ରା ଯୋଜନାର ସଫଳତା କହିବେ ରାଜ୍ୟ ବିଜେପି ନେତା । ୬୮ ଆସନ ମଧ୍ୟରୁ ବିଜେପି ୬୬ ଆସନରେ ପ୍ରାର୍ଥୀ ଘୋଷଣା  କରିସାରିଥିବାରୁ  ପ୍ରଚାର ଏବେ ଜୋରଦାର କରିବେ ରାଜ୍ୟ ବିଜେପି ନେତା ।