କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସାଆବା ପଞ୍ଚାୟତର ପାଟସାଳ ଗାଁର ଆଦିବାସୀ ହାଟ । ଆଠ ସପ୍ତାହ ହେଲାଣି ସରକାରଙ୍କ ପକ୍ଷରୁ ଏହି ହାଟ ଖୋଲାଯାଇଛି । ଆଦିବାସୀମାନେ ଏଠାରେ ସେମାନଙ୍କ ଉତ୍ପାଦିତ ପନିପରିବା ତଥା ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି ଓ ନିଜ ପାଇଁ ଆବଶ୍ୟକ ସାମଗ୍ରୀ କିଣୁଛନ୍ତି । ବାହାର ଲୋକ ବି ଏଠାରେ ଜିନିଷ କିଣାବିକା କରୁଛନ୍ତି । ଗ୍ରାହକ ବି ଗୋଟିଏ ଜାଗାରେ ସବୁ ପାଇ ଖୁସି । ହେଲେ ହାଟ ପାଇଁ କିଛି ସମସ୍ୟା ମଧ୍ୟ ଉପୁଜୁଥିବା ଅଭିଯୋଗ ହୋଇଛି ।
ପ୍ରତି ମଙ୍ଗଳବାର ହାଟ ବସୁଥିବା ବେଳେ ବହୁ ଲୋକଙ୍କ ସମାଗମ ହେଉଛି । ହେଲେ ହାଟ ମୁଖ୍ୟ ରାସ୍ତାକଡ଼ରେ ବସୁଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ପୁଣି ହାଟରେ ଶୌଚାଳୟ କି ପାନୀୟଜଳ ବ୍ୟବସ୍ଥା ନାହିଁ । ସ୍ଥାୟୀ ଦୋକାନ ଘର ବି କରାଯାଇନାହିଁ । ବାଉଁଶ ପୋତି, ତମ୍ୱୁ ଟାଣି ଚାଲିଛି ବିକ୍ରିବଟା । ଅନ୍ୟପଟେ ବିଡିଓଙ୍କୁ ପଠାଇ ହାଟ ସମସ୍ୟାର ସମାଧାନ କରିବାକୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ସୁବିଧା ସୁଯୋଗ କରାଗଲେ ହାଟ ବେଶ୍ ଭଲ ଚାଲିବ ।