କନକ ବ୍ୟୁରୋ: ଗୋଡ଼ରେ ଘୁଙ୍ଗୁର ବାନ୍ଧିଲେ ପାଦ ଅଥୟ ହୁଏ । ମନ ଗୁରୁଙ୍କ ପ୍ରଶିକ୍ଷଣ ଖୋଜେ । ସଙ୍ଗୀତର ତାଳେ ତାଳେ ବିଭିନ୍ନ ମୁଦ୍ରା ଓ ଅଙ୍ଗଭଙ୍ଗୀରେ ସୁନ୍ଦର ନୃତ୍ୟ ପରିବେଷଣ କରନ୍ତି ଆଦିବାସୀ ଝିଅ । ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ଦମାଦୁଆ ଗାଁର ଝିଅ ମାଧବୀ ମାଝୀ। ନିଜକୁ ଓଡ଼ିଶୀ ନୃତ୍ୟରେ ହଜେଇ ଦେଇଛନ୍ତି ନବମ ଶ୍ରେଣୀର ଛାତ୍ରୀ । ତାଙ୍କର କଳାକୁ ସ୍ୱୀକୃତି ସ୍ୱରୂପ ମିଳିଛି ଜୁନିଅର ଓଡ଼ିଶୀ ନୃତ୍ୟ ଛାତ୍ର ବୃତ୍ତି । 

Advertisment

ମାଧବୀଙ୍କ ବାପା ଅତି ଗରିବ ଶ୍ରେଣୀର । ଖଟିଲେ ଖାଉଥିବା ପରିବାର ତାଙ୍କର । ତଥାପି ଝିଅକୁ ଓଡ଼ିଶୀ ନୃତ୍ୟରେ ଆଗକୁ ନେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ନୃତ୍ୟ ଗୁରୁ ରବିଶଙ୍କର ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶୀ ଶିଖୁଛନ୍ତି ମାଧବୀ। ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ପରେ ବ୍ରହ୍ମପୁରରେ ପାଠ ପଢିବା ସହ ଓଡ଼ିଶୀ, ସମ୍ବଲପୁରୀ ଓ ଆଦିବାସୀ ଲୋକ ନୃତ୍ୟ ଶିଖିଛନ୍ତି । 

ଶିଶିଆର ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ମାଧବୀଙ୍କୁ ମିଳିଛି ଜାତୀୟ ଜୁନିଅର ଛାତ୍ର ବୃତ୍ତି ପୁରସ୍କାର ।