କନକ ବ୍ୟୁରୋ: ଆମକୁ ଆମର ଅଧିକାର ଦିଅ ନହେଲେ ଅଲଗା ଦେଶ ଦିଅ । ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଅଭିନବ ପ୍ରତିବାଦ । ସୁନ୍ଦରଗଡ ଜିଲ୍ଲା ସଦର ମହକୁମାଠାରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଦେଖିବାକୁ ମିଳିଛି ଏକ ଭିନ୍ନ ଧରଣର ପ୍ରତିବାଦ ।  ସୁନ୍ଦରଗଡ ସହରାଞ୍ଚଳ, ଟାଙ୍ଗରପାଲି ବ୍ଲକ ଏବଂ ହେମଗିରି ବ୍ଲକ ଅଞ୍ଚଳର କିଛି ହିତାଧୀକାରୀ ହାତରେ ଆଧାରକାର୍ଡ ଧରି ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି । ଆମର ଅଧିକାର ଆମକୁ ଦିଅ ନହେଲେ ଅଲଗା ଦେଶ ଦିଅ । ଯଦି ଅଧିକାର ଦେଇ ନପାରିବ ତାହେଲେ ଆଧାର କାର୍ଡ ଫେରେଇନିଅ । ଏପରି ଅଭିନବ ଢଙ୍ଗରେ ନିଜ ଅଧିକାର ପାଇବା ପାଇଁ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଦାବି ଜଣାଇଛନ୍ତି ।

ହେମଗିରି ବ୍ଲକର ସାନଘୁମୁଡା ଗାଁର କିଛି ମହିଳା ବିସ୍ଥାପିତମାନେ ଓସିପିଏଲ କୋଇଲା ଖଣି ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ବେଳେ ତାଙ୍କୁ ଦୁଇ ବର୍ଷ ହେଲାଣି କ୍ଷତିପୁରଣ ପ୍ରଦାନ କରାଯାଉନାହିଁ । ସେହିପରି ଟାଙ୍ଗରପାଲି ବ୍ଲକ ଭାଲୁବାହାଲ ଗାଁର ଆଦିବାସୀମାନେ ଜଙ୍ଗଲ ଜମି ପଟ୍ଟା ପାଇଁ ଦୀର୍ଘ ବର୍ଷ ହେଲା ସଂଘର୍ଷ କରୁଛନ୍ତି ।

ସୁନ୍ଦରଗଡ ପୌରାଞ୍ଚଳରେ ଶହେ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ସରକାରୀ ଜାଗାରେ ଘର କରି ରହିଥିବା ହିତାଧିକାରୀଙ୍କୁ ଜାଗା ମିଶନରେ ଘରଡିହ ପ୍ରଦାନ କରୁନାହାନ୍ତି ପୌରଅଧିକାରୀ  ।  ଅନ୍ୟପଟେ ରାଜ୍ୟ ବାହାରୁ ଆସି ଅଳ୍ପ ଦିନ ରହିଲା ପରେ ଲୋକେ ଘରଡିହ ପଟ୍ଟା ପାଇଯାଉଛନ୍ତି । ପ୍ରଶାସନର ଏପରି ବୈମାତୃକ ମନୋଭାବ ବିରୁଦ୍ଧରେ ଆଜି ଏହି ହିତାଧିକାରୀମାନେ ତ୍ପତିବାଦ କରିଛନ୍ତି । ଏ ସଂପର୍କରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।