କନକ ବ୍ୟୁରୋ: ବିଜେଡିରେ କିଛି ଠିକ୍ ଠାକ୍ ଚାଲିନି। ଦଳ ଭିତରେ ଗୃହ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହେଲାଣ। ଏକଥାକୁ ଦଳ ପକ୍ଷରୁ ଖଣ୍ଡନ କରାଯାଉଥିଲେ ବି ଜଣଙ୍କ ପରେ ଜଣେ ବରିଷ୍ଠ ନେତା ସାମନାକୁ ଆସି ଯେଉଁଭଳି ବିଷୋଦଗାର କରୁଛନ୍ତି ତାହା ସତକୁ ପଦାରେ ପକାଇ ଦେଇଛି। ଏହି ଘିଅରେ ନିଆଁ ଢ଼ାଳିଛନ୍ତି ବରଷ୍ଠ ନେତା ପ୍ରଫୁଲ ଘଡେଇ। ଆଉ ପ୍ରଫୁଲଙ୍କ ବୟାନ ରାଜନୀତିରେ କମ୍ପନ ସୃଷ୍ଟି କରିଛି।

Advertisment

ବରିଷ୍ଠ ନେତା ପ୍ରଫୁଲ ଘଡେଇଙ୍କ ବିସ୍ଫୋରକ ବୟାନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ପ୍ରୀତିରଞ୍ଜନଙ୍କ ବିରୋଧରେ କିଏ ଚକ୍ରାନ୍ତ କରିଥିଲା ତାହା ଆଲୋଚନାର ପ୍ରସଙ୍ଗ ପାଲଟିଛି। ସେହିପରି କାହା ଅହଙ୍କାର ଯୋଗୁ ବିଜେଡିର ପରାଜୟ ହେଲା ସେ ନେଇ ଜୋର ଧରିଛି ଚର୍ଚ୍ଚା। ତେବେ ପ୍ରଫୁଲଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ। 

ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ଅବସରରେ ପୁଅ ପ୍ରୀତିରଞ୍ଜନଙ୍କ ସମ୍ପର୍କରେ ମନ୍ତବ୍ୟ ଦେବା ସହ ବିଜେଡିର ପୋଲ ଖୋଲିଥିଲେ ପ୍ରଫୁଲ। କହିଥିଲେ, ଦଳୀୟ ଚକ୍ରାନ୍ତର ଶିକାର ହୋଇ ପ୍ରୀତିରଞ୍ଜନଙ୍କୁ କୋରେଇ ଆସନ ଛାଡିବାକୁ ପଡିଥିଲା। 

ପ୍ରୀତିରଞ୍ଜନ ଓ କୋରେଇବାସୀଙ୍କ ଇଛା ବିରୋଧରେ ପ୍ରୀତିରଞ୍ଜନଙ୍କୁ ସୁକିନ୍ଦା ଯିବାକୁ ପଡିଥିଲା। ଦଳୀୟ ରାଜନୀତିର ଶିକାର ହୋଇ ସେଦିନଠାରୁ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଛି। ଅହଙ୍କାର ଯୋଗୁଁ ବିଜେଡି ହାରିଥିଲା। 

ପ୍ରଫୁଲଙ୍କ ମନ୍ତବ୍ୟକୁ ନେଇ ବିଜେଡିରେ ହଲଚଲ ସୃଷ୍ଟି ହୋଇଥିବାବେଳେ, ଏହି ସୁଯୋଗକୁ ହାତ ଛଡା କରିନି ବିଜେପି। ପ୍ରଫୁଲଙ୍କୁ କଡା ସମାଲୋଚନା କରିଛନ୍ତି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।  

ବିଜେଡି କ୍ଷମତାରୁ ଯିବା ପରେ ଜଣଙ୍କ ପରେ ଜଣେ ଦଳର ବରିଷ୍ଠ ନେତା ବିଷୋଦଗାର କରୁଛନ୍ତି। ଏଥିସହ ଭବିଷ୍ୟତ ପାଇଁ ଭିନ୍ନ ସ୍ଥାନରେ ମେଳି ମଧ୍ୟ କରୁଛନ୍ତି। ଯାହାକୁ ନେଇ ଟେନସନରେ ଅଛନ୍ତି ବିଜେଡି ସୁପ୍ରିମୋ।