ନକବ୍ୟୁରୋ : ଧୁ ଧୁ ଖରାରେ ରାସ୍ତା ଉପରେ ମହିଳା । ତତଲା ପିଚୁରେ ଗରା ରଖି ତଳେ ବସିଛନ୍ତି ଗ୍ରାମବାସୀ  ।  ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଛନ୍ତି । ପାଣି ପାଇଁ ପାରଳାଖେମୁଣ୍ଡି ସେରଙ୍ଗ ମୁଖ୍ୟ ରାସ୍ତାରୋକ କରାଯାଇଛି   ।   ଘରେ ଘରେ ପାଇପ୍‌ ଦ୍ୱାରା ପାନୀୟ ଜଳ ଯୋଗାଇବା ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି   ।

Advertisment

ହେଲେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟର ଅତି ନିକଟରେ ଥିବା  କୃଷ୍ଣଚନ୍ଦ୍ରପୁର ଗାଁରେ ପାଣି ପାଇଁ ହାହାକାର  ।  ମାସ ମାସ ହେଲା ପାଇପ୍‌ ପାଣି ଠିକ୍‌ରେ ଆସୁନାହିଁ  ।  ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନାହିଁ    ।  ତେଣୁ ଗାଁର ମହିଳା ଓ ପୁରୁଷ ପାରଳାଖେମୁଣ୍ଡି ସେରଙ୍ଗ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି   ।

 ତିନି ଘଣ୍ଟା ଧରି ଗାଡ଼ିମଟର ଚଳାଚଳ ଠପ୍‌ ହୋଇଯାଇଥିଲା  ।   ଫଳରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ସେରଙ୍ଗ ଥାନା ଅଧିକାରୀଣୀ ନଳିନୀ କୁମାରୀ କହଁର ଓ କନିଷ୍ଠ ଯନ୍ତ୍ରୀ   ହୃଷିକେଶ ମାରାଣ୍ଡି ଘଟଣାସ୍ଥଳରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା କରି ଜଳ ସମସ୍ୟାର ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେବା ପରେ‌ ରାସ୍ତା ଅବରୋଧ ହଟିଛି  ।  ସମସ୍ୟାର ସମାଧାନ ନହେଲେ ପୁଣି ରାସ୍ତା ଅବରୋଧ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।

---