କନକବ୍ୟୁରୋ : ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍‌। ଆଖି ପିଛୁଳାକେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ ।  ତାହାକୁ ନଜରରେ ରଖି ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ୍‌-ପୁରୀ ରେଳ ସେକ୍ସନରେ ଡବଲ୍ ଡିଷ୍ଟାଣ୍ଟ ସିଗ୍ନାଲିଙ୍ଗ(ଡିଡିଏସ୍‌) କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି ।  ଭୁବନେଶ୍ବରରୁ ଖୋର୍ଦ୍ଧାରୋଡ୍‌ ପର୍ଯ୍ୟନ୍ତ ୨୦ କିମି ରେଳ ଲାଇନ୍‌କୁ ଇତି ମଧ୍ୟରେ ଅଟୋ ସିଗନାଲିଂ ହୋଇସାରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମଞ୍ଜୁରିପ୍ରାପ୍ତ ଏହି ପ୍ରକଳ୍ପ ଯାତ୍ରୀ ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ଉନ୍ନତ ଓ ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ଅଧିକ ଅନୁମୋଦିତ ଟ୍ରେନ୍‌ ଗତି ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି  ।

Advertisment

୨୦୨୬ ଜାନୁଆରି ସୁଦ୍ଧା କାର୍ଯ୍ୟ ଶେଷ ପରେ ଟ୍ରେନ୍‌ଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ସୁରକ୍ଷିତ ଭାବେ ଚାଲିପାରିବ ।  ଏହା ଦ୍ବାରା ଟ୍ରେନ୍‌ ଯାତ୍ରା ସମୟ ହ୍ରାସ ପାଇବ। ସମୟାନୁବର୍ତ୍ତିତାରେ ଉନ୍ନତି ଆସିବା ସହ ଯାତ୍ରୀଙ୍କ ସୁବିଧା ମଧ୍ୟ ବୃଦ୍ଧି ପାଇବ। ପ୍ରକଳ୍ପର ସିଗ୍ନାଲିଙ୍ଗ ଓ ଟେଲିକମ୍ୟୁନିକେସନ୍(ଏସ୍‌ ଆଣ୍ଡ୍‌ ଟି) ଉପାଦାନ ଅନ୍ତର୍ଗତ ଏହି ସେକ୍ସନରେ ୮ଟି ଷ୍ଟେସନ, ୧୦ଟି ଲେଭଲ୍ କ୍ରସିଂ ଗେଟ୍ ଓ ଗୋଟିଏ ମଧ୍ୟବର୍ତ୍ତୀ ବ୍ଲକ୍‌ ହଟ୍‌ରେ କୌଣସି ପରିବର୍ତ୍ତନ ନ କରି ଉନ୍ନତୀକରଣ କାର୍ଯ୍ୟ ଚାଲିଛି । ସିଷ୍ଟମ୍ ଇଣ୍ଟିଗ୍ରେସନ୍‌ର ଅଂଶ ଭାବେ ପ୍ରମୁଖ ସିଗ୍ନାଲିଂ ପରିବର୍ତ୍ତନ ହୋଇଛି । ହରିପୁର, ସକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଡେଲାଙ୍ଗ, ମାଳତୀପାଟପୁର ଓ ପୁରୀ ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ(ଇଏଲ୍‌) ପରିବର୍ତ୍ତନ, ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ରୁଟ୍‌ ରିଲେ ଇଣ୍ଟରଲକିଂ(ଆରଆରଆଇ) ପରିବର୍ତ୍ତନ, ମୋଟାରି ଷ୍ଟେସନରେ ପ୍ୟାନେଲ୍‌ ଇଣ୍ଟରଲକିଂ(ପିଆଇ) ପରିବର୍ତ୍ତନ ହୋଇଛି । 

ଅଧିକ ପଢନ୍ତୁ... ରୋଗୀଙ୍କୁ ମିଳୁନି ବାହାରେ ପଡିଛି ମେଡିସିନ୍ : ବାଲେଶ୍ବର ରସାଳପୁର ରୁ ଆସିଛି ଏଭଳି ଦୃଶ୍ୟ

ଉନ୍ନତ ସିଗ୍‌ନାଲିଂ ଆର୍କିଟେକଚରକୁ ନିରାପଦ ଓ ନିର୍ବିଘ୍ନ ଭାବେ ଅନ୍ତର୍ଭୁକ୍ତ କରିବାକୁ ସମସ୍ତ ସିଷ୍ଟମ୍‌ ଇଣ୍ଟିଗ୍ରେସନ୍‌ ଯୋଜନା(ଏସ୍‌ଆଇପି) ଅନୁମୋଦନ କରାଯାଇଛି। ୨୦୨୪ ନଭେମ୍ବରରେ ଟେଣ୍ଡର୍‌ ପରଠାରୁ ପ୍ରକଳ୍ପରେ ଯଥେଷ୍ଟ ଅଗ୍ରଗତି ରେକର୍ଡ କରାଯାଇଛି। ସେକ୍ସନରେ କେପି-୫, କେପି-୯ ଓ କେପି-୧୧ରେ ତିନୋଟି ଲେଭଲ୍ କ୍ରସିଂ ଗେଟ୍‌ ସହିତ ଖୋର୍ଦ୍ଧା ରୋଡ୍, ହରିପୁର ଗ୍ରାମ, ମୋଟାରି ଓ ଡେଲାଙ୍ଗ ଷ୍ଟେସନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଡିଡିଏସ୍‌ ପ୍ରଣାଳୀ ଦ୍ବାରା ଲୋକୋମୋଟିଭ୍‌ ପାଇଲଟ୍‌ମାନଙ୍କୁ ଆଗୁଆ ସିଗନାଲ ସୂଚନା ପାଇବେ । ସିଗନାଲ ଦିଗଗୁଡ଼ିକର ଉନ୍ନତ ପୂର୍ବାନୁମାନ, ସୁଗମ ଗତି ନିୟନ୍ତ୍ରଣ ଓ ସୁରକ୍ଷିତ ହାଇ-ସ୍ପିଡ୍‌ ଟ୍ରେନ୍‌ ପରିଚାଳନା ଦିଗରେ ସହାୟକ ହେବ । 

ଅଧିକ ଅନୁମୋଦିତ ଗତି ରେଳ ଯାତ୍ରାକୁ ସୁଦୃଢ଼ କରାଇବ। ଉନ୍ନତ ଗତି ନିୟନ୍ତ୍ରଣ ଉତ୍ତମ ସମୟାନୁବର୍ତ୍ତୀତା ଓ ଅଧିକ ନିର୍ଭରଯୋଗ୍ୟ ଟ୍ରେନ ସେବାରେ ଅବଦାନ ରଖିବ। ହଠାତ୍ ଗତିରେ ପରିବର୍ତ୍ତନ ତଥା ବେଗ ହ୍ରାସ ଯୋଗୁଁ ଉପୁଜୁଥିବା ସମସ୍ୟାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ। ଫଳରେ ଯାତ୍ରୀମାନେ ଅଧିକ ସୁଗମ ଓ ଆରାମଦାୟକ ଯାତ୍ରା କରିବେ। ବିଶେଷକରି ବୟସ୍କ ଯାତ୍ରୀ, ପିଲା ଓ ଦୂରଗାମୀ ଯାତ୍ରୀମାନେ ଉପକୃତ ହେବେ । 

ଲେଭଲ୍‌ କ୍ରସିଂଗୁଡ଼ିକରେ ଆଧୁନିକ ସିଗ୍‌ନାଲିଂ ସୁରକ୍ଷିତ ସଡ଼କ କ୍ରସିଂ ସୁନିଶ୍ଚିତ କରିବ ଏବଂ ସଡ଼କ ବ୍ୟବହାରକାରୀଙ୍କ ପାଇଁ ଅପେକ୍ଷା ସମୟ ହ୍ରାସ କରିବ। ଭୁବନେଶ୍ବର-ଖୋର୍ଦ୍ଧାରୋଡ୍‌-ପୁରୀ ସେକ୍ସନ୍‌ ଏକ ପ୍ରମୁଖ ତୀର୍ଥଯାତ୍ରୀ ଓ ପର୍ଯ୍ୟଟନ୍‌ କରିଡର ହୋଇଥିବାରୁ ଡିଡିଏସ୍‌ ପ୍ରଣାଳୀ ସୁରକ୍ଷିତ, ଦ୍ରୁତ ଓ ନିର୍ଭରଯୋଗ୍ୟ ରେଳ ସେବା ସୁନିଶ୍ଚିତ କରିବ। ବିଶେଷକରି ରଥଯାତ୍ରା ଓ ପ୍ରମୁଖ ପର୍ବପର୍ବାଣୀ ଭଳି ଯାତ୍ରୀ ଭିଡ଼ ସମୟରେ ଅନେକ ସହାୟକ ହେବ।