କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପରିବହନ ଅଧିକାରୀ ବା ମୋଟର ଭେଇକିଲ ଇନ୍ସପେକ୍ଟର । ବୌଦ୍ଧ ପରିବହନ ଅଧିକାରୀ ଗୋଲାପ ଚନ୍ଦ୍ର ହାଁସଦା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୬ଟି ଜାଗାରେ ଚଢାଉ ଚାଲିଛି । ବାରିପଦା ପ୍ରଫୁଲ୍ଲ ନଗରରେ ଗୋଲାପଙ୍କର ବାସଭବନ, ବୌଦ୍ଧରେ ଥିବା ଭଡ଼ାଘର, ବୌଦ୍ଧ ଆରଟିଓରେ ଥିବା ତାଙ୍କ ଅଫିସ୍ ଚାମ୍ବରରରେ ଚଢାଉ କରୁଛନ୍ତି ଭିଜିଲାନ୍ସ । ଏଥିସହ ମୟୂରଭଞ୍ଜ ଖୁଣ୍ଟାସ୍ଥିତ ଗୁଡ଼ିଡିହା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ଝିଅଙ୍କର ଫ୍ଲାଟ୍ ଏବଂ ବାରିପଦାରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ । 

Advertisment

ଗତ ଜୁଲାଇ ୩୦ ତାରିଖରେ ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଧରା ପଡ଼ିଥିଲେ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନର ସହାୟକ ଯନ୍ତ୍ରୀ ରାଜ କିଶୋର ଜେନାଙ୍କର ରହିଛି ଅମାପ ସମ୍ପତ୍ତି । ଆୟଠାରୁ ୩୧୭ ପ୍ରତିଶତ ଅଧିକ ସମ୍ପତ୍ତି ଥିଲା ରାଜ କିଶୋରଙ୍କର । ରାଜକୀୟ ଠାଣିରେ ଜୀବନ ବିତାଉଥିବା ସରକାରୀ ଅଧିକାରୀ ଏତେ ସମ୍ପତ୍ତିର ମାଲିକ କେମିତି ହେଲେ ତାହାର ସନ୍ତୋଷ ଜନକ ଉତ୍ତର ଭିଜିଲାନ୍ସକୁ ଦେଇ ପାରିନଥିବାରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉ ବେଳେ ତାଙ୍କର ନୀଳାଦ୍ରି ବିହାରରେ ୩ ମହଲା ଘର, କସମପଲିସରେ ଦୁଇଟି ଫ୍ଲାଟ, ଉତ୍କଳ ଗ୍ୟାଲେରିଆ ଏବଂ ସିମ୍ଫୋନି ମଲ୍‌ରେ ଦୋକାନ, ୧୩ଟି ପ୍ଲଟ, ୭୫ଲକ୍ଷ ଟଙ୍କାର ଡିପୋଜିଟର ସନ୍ଧାନ ପାଇଛି ଭିଜିଲାନ୍ସ । ଦୁଇ ପିଲାଙ୍କ ପାଠପଢ଼ାରେ ରାଜକିଶୋର ୬୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । 

ଏହାପୂର୍ବରୁ ଗତ ଜୁଲାଇ ୨୫ ତାରିଖରେ ବି ଜଣେ କୁବେର ସରକାରୀ ବାବୁଙ୍କୁ ଧରିଥିଲା ଭିଜିଲାନ୍ସ । ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲା ନଗଦ ଦେଢ଼ କୋଟି । ଡେପୁଟି ରେଞ୍ଜରଙ୍କ ଘରୁ ଅଧ କେଜିର ସୁନା, କେଜିଏରୁ ଅଧିକ ରୁପା ମିଳିଥିଲା  ।  ୬ଟି ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ । ଜୟପୁରର ପୈତୃକ ଘର, ଆପାର୍ଟମେଂଟରେ ଥିବା ୨ଟି ଫ୍ଲାଟ, ସମ୍ବାର ଟୋଟାରେ ଥିବା ଶ୍ବଶୁର ଘର, ଭୁବନେଶ୍ବରରେ ଥିବା ଭାଇ ଘର ସମେତ ତାଙ୍କ ଅଫିସରେ ରେଡ୍ କରିଛନ୍ତି ଅଧିକାରୀ । ଚଢ଼ାଉରେ ଭିଜିଲାନ୍ସର ୬ଡିଏସପି, ୫ଇନ୍ସପେକ୍ଟର, ୯ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ ।