କନକ ବ୍ୟୁରୋ : ବର୍ଷେ ହେଲା ଉଦ୍‌ଘାଟନ ଅପେକ୍ଷାରେ ପାଣିକୋଇଲି ଟ୍ରମାକେୟାର । ନିର୍ମାଣ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି । ଉଦ୍‌ଘାଟନ ନକରି ନୂଆ ସରକାର କେବଳ ଏହାର  ରଙ୍ଗ ବଦଳାଇ ନିଜର କାମ ସାରିଦେଇଛନ୍ତି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

Advertisment

ଯାଜପୁର ଜିଲ୍ଲାର ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥର ମିଶ୍ରଣ ସ୍ଥଳ ହେଉଛି ପାଣିକୋଇଲି । ପ୍ରତିଦିନ ଏହି ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇ ଅନେକ ଲୋକଙ୍କ ଜୀବନ ଯାଉଛି । ଠିକ୍ ସମୟରେ ଚିକିତ୍ସା ନପାଇ ମୃତ୍ୟୁ ମୁଖରେ ପଡୁଛନ୍ତି ଅନେକ ଲୋକ । ତେଣୁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପାଣିକୋଇଲି ଠାରେ ଏକ ମେଡିକାଲ କଲେଜ ପାଇଁ ବହୁ ଦାବି ଓ ଆନ୍ଦୋଳନ ପରେ ଟ୍ରମାକେୟାର ନିର୍ମାଣ କରାଯାଇଛି । ମାର୍ଚ୍ଚ ୨୦୧୯ରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ଵାରା ଶିଳାନ୍ୟାସ ହୋଇଥିଲା । ଟ୍ରମାକେୟାରର ସମସ୍ତ କାର୍ଯ୍ୟ ଶେଷ ହୋଇଥିଲେ ବି ଏହା ଉଦ୍‌ଘାଟନ ହୋଇପାରୁନାହିଁ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସରିଛି ନିର୍ମାଣ କାର୍ଯ୍ୟ ।

ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ ଟ୍ରମାକେୟାରକୁ କାର୍ଯ୍ୟକ୍ଷମ କରିବା ପରିବର୍ତ୍ତେ କେବଳ ରଙ୍ଗ ବଦଳାଯାଇଛି । ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଟ୍ରମାକେୟାର ଏବେ ଭୂତକୋଠିରେ ପରିଣତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ ନ କଲେ ଆଗକୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକ । ସେପଟେ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ଚାଲିଛି, ଖୁବ୍‌ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ବ ଦେଇ ତୁରନ୍ତ ଟ୍ରମାକେୟାର ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହୋଇଛି ।