କନକ ବ୍ୟୁରୋ : ଭାରତୀୟ ରେଳବାଇ ନିଜର ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ଏବଂ ସୁରକ୍ଷିତ ଯାତ୍ରା ଅନୁଭବ ଦେବା ପାଇଁ ସବୁବେଳେ ଚେଷ୍ଟା କରେ । ବର୍ତ୍ତମାନ ରେଲୱେ ଲଗେଜ ପରିବହନ ନିୟମକୁ କଡ଼ାକଡ଼ି କରିବାକୁ ଯାଉଛି । ଏଣିକି ବିମାନ ଯାତ୍ରା ପରି ଟ୍ରେନ୍ ଯାତ୍ରୀମାନଙ୍କୁ ମଧ୍ୟ ସେମାନଙ୍କ ଲଗେଜର ଓଜନ ଏବଂ ଆକାର ଉପରେ ଧ୍ୟାନ ଦେବାକୁ ପଡ଼ିବ । ନିର୍ଦ୍ଧାରିତ ସୀମାରୁ ଅଧିକ ଓଜନର ଜିନିଷ ନେଲେ ଯାତ୍ରୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିପାରେ ।
କାହିଁକି ଏହି ନୂଆ ନିୟମ ?
ଅନେକ ସମୟରେ ଯାତ୍ରୀମାନେ ଅଧିକ ଲଗେଜ ନେଇ ଯାତ୍ରା କରନ୍ତି । ଯାହାଦ୍ୱାରା ଟ୍ରେନ୍ର ଡବାରେ ଭିଡ଼ ହୁଏ ଏବଂ ଅନ୍ୟ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଯାତ୍ରୀମାନଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ଏହି ନିୟମ ଲାଗୁ କରିବାକୁ ଯାଉଛି । ଏଥିପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ଲଗାଯିବ । ଏୟାରଲାଇନ୍ସ ଭଳି ଟ୍ରେନ୍ ଯାତ୍ରା ପାଇଁ ମଧ୍ୟ ଏହି ନିୟମକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି । ନିୟମ ଅନୁଯାୟୀ, ଯାତ୍ରାର ବିଭିନ୍ନ ଶ୍ରେଣୀ ପାଇଁ ମାଗଣା ଲଗେଜ ନେବାର ଅନୁମତି ଅଲଗା ଅଲଗା ରହିଛି।
ଯେପରିକି, ଫାଷ୍ଟ୍ କ୍ଲାସ ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ସାମାନ ନେବାର ଅନୁମତି ରହିବ । ସେହିପରି ଏସି ସେକେଣ୍ଡ୍ କ୍ଲାସ୍ ଯାତ୍ରୀଙ୍କ ପାଇଁ ଏହି ସୀମା ୫୦ କିଲୋଗ୍ରାମ ଏବଂ ଥାର୍ଡ କାଲ୍ସ୍ ଏସି ଓ ସ୍ଲିପର କ୍ଲାସ ଯାତ୍ରୀଙ୍କ ପାଇଁ ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ସୀମା ରହିବ । ସେହିପରି, ଯଦି ସାଧାରଣ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ କଥା କହିବା, ତେବେ ସେମାନଙ୍କ ପାଇଁ ସାଙ୍ଗରେ ନେଉଥିବା ଲଗେଜର ଓଜନ ୩୫ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରିବ । ଖୁବ୍ଶୀଘ୍ର ଏହି ନିୟମ ଲାଗୁ କରାଯିବ ।
ରେଲୱେ ପ୍ଲାଟଫର୍ମରେ ପ୍ରବେଶ କରିବା ପୂର୍ବରୁ ହିଁ ଯାତ୍ରୀଙ୍କ ବ୍ୟାଗର ଓଜନ ଏବଂ ତା'ର ଆକାର ଯାଞ୍ଚ କରାଯିବ । ଆଉ ଏକ ବିଶେଷ କଥା ହେଉଛି, ଲଗେଜର କେବଳ ଓଜନ ନୁହେଁ, ବରଂ ସେମାନଙ୍କ ଟ୍ରାଭେଲ ବ୍ୟାଗର ଆକାରକୁ ମଧ୍ୟ ଏହି ପରିସରଭୁକ୍ତ କରାଯିବ । ଏ ସମ୍ବନ୍ଧରେ ରେଳ ଅଧିକାରୀମାନେ କହିଛନ୍ତି ଯେ ଏହି ନିୟମ ରେଳ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ଉଭୟ ପାଇଁ ଜରୁରୀ । କାରଣ ଅନେକ ଥର ଯାତ୍ରୀମାନେ ନିଜ ସହିତ ବହୁତ ଅଧିକ ଲଗେଜ ନେଇଯାଆନ୍ତି, ଯାହାଫଳରେ କୋଚରେ ବସିବା ଏବଂ ଚଳପ୍ରଚଳ କରିବାରେ ଅସୁବିଧା ହୁଏ । ସେମାନେ ଅତ୍ୟାଧିକ ଲଗେଜକୁ ସୁରକ୍ଷା ଜନିତ ବିପଦ ବୋଲି କହିଛନ୍ତି ।