କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡ଼ି ଚାଳନା ଘଟଣାରେ ଝିଅର ମୃତ୍ୟୁ ପରେ ଆଜି ପ୍ରାଣ ହାରିଲେ ମାଆ ।  ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଏବେ ବି ଫେରାର । ନିମିଷକରେ ଛାରଖାର ପୂରା ପରିବାର । ସବୁ ବେଳେ, ହସ ଖୁସି । ଝିଅକୁ ଗେଲ କରିଦେଲେ, ପୁଅ କାନ୍ଧରେ ବସିବାକୁ ଜିଦ କରେ , ସୁଖ ଶାନ୍ତିର ପରିବାର । କେଜାଣି କାହାର ନଜର ଲାଗିଲା । ଶେଷ ସେଲଫି ସହ ଭାଇରଲ ହେଉଥିବା ଏହି ପରିବାର ଏବେ ଛାରଖାର । ଭୁବନେଶ୍ୱର ପାତ୍ରପଡ଼ାରେ ରାଖୀ ପୂର୍ଣ୍ଣିମାର ସେହି ମଣିଷ ମରା ଥାର୍‌ ଯୋଗୁଁ, ଘଟଣାସ୍ଥଳରେ ୮ ବର୍ଷର କୁନିଝିଅ ରେଶମାର ଚାଲିଯାଇଥିଲା ଜୀବନ । ଆଜି ମାଆ ରେବତୀ ରାଉଳଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି  I ୨ ବର୍ଷର ପୁଅ ମୁହଁକୁ ଦେଖି ବଞ୍ଚିଛି ବାପା । ସେପଟେ ପାତ୍ରପଡ଼ା କେସ୍‌ରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସୂଚନା ଦେଇଛନ୍ତି ଏସିପି । 

Advertisment

ଦୁଇଦିନ ହେଲା ଛାତି ଥରାଇ ଦେଇଛି ଏ ଧଳା କାରର କଳା କାରନାମା । ଗାଡ଼ିଟି ଜଟଣୀ କୁସୁମାଟିରୁ ଜବତ ହୋଇ ଖଣ୍ଡଗିରି ଥାନାରେ ଅଛି,କିନ୍ତୁ ରୋଡ଼ ରୋମିଓ ସାଜିଥିବା ଗାଡି ମାଲିକ ଏବେ ବି ଫେରାର । ଓଡ଼ିଶାରେ ବଢୁଥିବା ସଡକ ଦୁର୍ଘଟଣାକୁ ନେଇ ପୂର୍ବରୁ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଅଚଳ କ୍ୟାମେରା ଯୋଗୁ ଅଭିଯୁକ୍ତଙ୍କର ନାଁ ଅଛି ଟ୍ରେସିଂ ନାଁ ଅଛି ଟ୍ରାକିଂ । ହିଟ୍‌ ଆଣ୍ଡ୍‌ ରନ୍‌ କେସ୍‌ରେ ୧୦ ବର୍ଷର ଜେଲଦଣ୍ଡ ଓ ୭ ଲକ୍ଷ ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରହିଛି । ହେଲେ ଲାଞ୍ଚଖୋର ଅଫିସରଙ୍କ ପାଇଁ ଖସି ଯାଉଛନ୍ତି ଅଭିଯୁକ୍ତ । 

ଅନ୍ୟପଟେ ମଦ୍ୟପଙ୍କ ମନଇଚ୍ଛା ଡ୍ରାଇଭିଂ ପାଇଁ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ । ସ୍ପିଡ୍‌ ଡ୍ରାଇଭ, ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍‌, ହେଲମେଟ୍‌, ସିଟ ବେଲ୍ଟ, ଟ୍ରିପଲ୍‌ ରାଇଡିଂ ଭଳି ଖିଲାପକାରୀଙ୍କୁ ଧରିବାକୁ ରାସ୍ତାରେ AI କ୍ୟାମେରା ଲାଗିଛି । ଏଠି ପ୍ରଶ୍ନ ଉଠୁଛି, ବଡ଼ ଘରର ଲୋକ ବୋଲି କ’ଣ ଏମାନଙ୍କ ପାଇଁ ନିୟମ ଅଲଗା ? କାହିଁକି ଏପର୍ଯ୍ୟନ୍ତ ଧରାପଡ଼ିପାରୁନି ମଣିଷ ମରା ଡ୍ରାଇଭର ?  କିଏ ଦେଉଛି ସୁରକ୍ଷା? କାହା ଚାପରେ ରହିଛି ପୁଲିସ ?