କନକ ବ୍ୟୁରୋ: ଅତି ଭୟଙ୍କର ବିମାନ ଦୁର୍ଘଟଣା । ଏୟାର ଇଣ୍ଡିଆର ସେହି ବିମାନରୁ ଉଡ଼ାଣ ଭରିଥିବା ଯାତ୍ରୀ କେବେ ଚିନ୍ତା କରିନଥିବେ ଯେ ସେଦିନ ଅହମ୍ମଦାବାଦରୁ ଏୟାର ଇଣ୍ଡିଆରେ ବିମାନ ଯାତ୍ରା ସେମାନଙ୍କ ଶେଷ ଯାତ୍ରା ହେବ । କେବଳ ଜଣେ ଯାତ୍ରୀଙ୍କୁ ଛାଡ଼ିଦେଲେ କେହି ଆଉ ବଞ୍ଚି ପାରିନାହାନ୍ତି । ଏହି ବିମାନ ଦୁର୍ଘଟଣା ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଅତ୍ୟାଧୁନିକ ବୋଇଂ ୭୮୭-୮ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଯାତ୍ରୀବାହୀ ବିମାନ । ଯେଉଁ ବିମାନରେ ୨୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ ଚାଲିଗଲା ତାହାକୁ ଗତ ୨୦୧୧ ମସିହାରେ ଭେଟି ଦେଇଥିଲା ଏକ ଆମେରିକୀୟ କମ୍ପାନି । ସେବେଠାରୁ ଜୁନ୍ ୧୨ ସୁଦ୍ଧା ଏହି ବିମାନରେ ୧ ବିଲିୟନରୁ ଅଧିକ ଯାତ୍ରୀ ଉଡ଼ାଣ ଭରି ସାରିଥିଲେ । ତେବେ ସତରେ କଣ ଏହି ପ୍ଲେନ୍ ପୁରୁଣା ହୋଇଯାଇଥିଲା ? ଯାତ୍ରୀ କେମିତି ଜାଣିବେ ସେମାନେ ଯାତ୍ରା କରୁଥିବା ପ୍ଲେନ୍ କେତେ ପୁରୁଣା ? ଜାଣନ୍ତୁ ଏହି ରିପୋର୍ଟରୁ...
ଆଜି ଆମେ ଆପଣଙ୍କୁ ଯାତ୍ରୀବାହୀ ବିମାନ ବାବଦରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାକୁ ଯାଉଛୁ । ଯେକୌଣସି ବିମାନ ଯାତ୍ରା ପୂର୍ବରୁ ଜଣେ ଯାତ୍ରୀ ସେହି ପ୍ଲେନ୍ କେତେ ପୁରୁଣା ତାହା ଜାଣି ପାରିବେ । କାରଣ ପ୍ରତି ଗାଡ଼ି ଭଳି ପ୍ଲେନ୍ର ବି ରହିଥାଏ ନିର୍ମାଣ ବର୍ଷ ତଥ୍ୟ । ଅର୍ଥାତ ବିମାନଟି କେବେ ନିର୍ମାଣ ହୋଇଥିଲା ତାହାର ତଥ୍ୟ ଜାଣି ପାରିବେ ଯାତ୍ରୀ । କମ୍ପାନିଗୁଡ଼ିକୁ ବିମାନଗୁଡ଼ିକର ରେଜିଷ୍ଟ୍ରେସନ କରାଇବାକୁ ପଡ଼ିଥାଏ । ତେଣୁ ଫ୍ଲାଇଟ୍ରେ ଯାତ୍ରା କରିବା ପୂର୍ବରୁ ବିମାନଟି କେତେ ବର୍ଷ ପୁରୁଣା ତାହା ସହଜରେ ଜାଣି ପାରିବେ ଯାତ୍ରୀ । ଏଥିପାଇଁ ଏକ ସରଳ ତରିକା ରହିଛି । ଯାତ୍ରୀମାନେ ଫ୍ଲାଇଟ୍ ଟ୍ରେଡର୨୪ ୱେବ୍ସାଇଟ୍ ଭିଜିଟ୍ କରିଏଥିରେ ବିମାନର ନାଁ ଓ ଅନ୍ୟାନ୍ୟ ତଥ୍ୟ ଦାଖଲ କରି ଦେଖାଇଯାଉଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଲ୍ୟାପ୍ଟପ୍ ହେଉ କି ମୋବାଇଲ୍ ଏଠାରେ ବିମାନ ବାବଦରେ ସମସ୍ତ ସୂଚନା ପାଇପାରିବେ । ସ୍କ୍ରଲ୍ ଡାଉନ୍ କଲେ ଏହି ୱେବ୍ପେଜ୍ରେ ବିମାନ କେତେ ପୁରୁଣା ତାହା ଜଣା ପଡ଼ିଥାଏ । କିନ୍ତୁ ଯେକୌଣସି ପ୍ଲେନ୍ କେତେ ବର୍ଷ ପୁରୁଣା ଜାଣିବାକୁ ହେଲେ ଫ୍ଲାଇଟ୍ଟ୍ରେଡର୨୪ ୱେବ୍ସାଇଟ୍ ସବ୍ସ୍କ୍ରିପ୍ସନ୍ ନେବାକୁ ପଡ଼ିଥାଏ ।
ପୋର୍ଟାଲ ଏହାପରେ ହିଁ ବିମାନର ବୟସ ଦେଖାଇଥାଏ । ଗୋଟିଏ ପ୍ଲେନ୍ ୨୦ରୁ ୨୫ ବର୍ଷ ଧରି ଯାତ୍ରୀଙ୍କୁ ନେବା ଆଣିବା କରିପାରେ । ଏହାପରେ ବିମାନର ସର୍ଭିସ ଶେଷ ହୋଇଯାଇଥାଏ । କମର୍ସିଆଲ ପାସେଞ୍ଜର ପ୍ଲେନ୍ ଗୁଡ଼ିକ ପାଇଁ ଏହି ଅବଧି ଧାର୍ଯ୍ୟ କରାଯାଇଛି । କାରଣ ପ୍ଲେନ୍ଗୁଡ଼ିକ ଯେତେ ପୁରୁଣା ଏହାର ମେଣ୍ଟେନାନ୍ସ ମଧ୍ୟ ସେତେ ଅଧିକ ହୁଏ । ଏହା ବ୍ୟୟ ସାପେକ୍ଷ ଥିବାରୁ ପ୍ଲେନ୍ ପୁରୁଣା ହେଲେ ଏହା ଯାତ୍ରାରେ ଉପଯୋଗ କରାଯାଏ ନାହିଁ ।
କିନ୍ତୁ ମାତ୍ର ୧୫ ବର୍ଷ ପୁରୁଣା ବୋଇଂ ୭୮୭-୮ କିଭଳି ଦୁର୍ଘଟଣାଗ୍ରସ୍ତ ହେଲା ତାହାର କାରଣ ଖୋଜା ପଡ଼ିଛି । କାରଣ ଖୋଜିବାକୁ ଆମେରିକାରୁ ଆସିବ ବୋଇଂ କମ୍ପାନିର ବିଶେଷଜ୍ଞ ଟିମ୍ । ଏହି ଦୁର୍ଘଟଣା ପରେ ବୋଇଁ କମ୍ପାନି ସେୟାର ମୂଲ୍ୟ ୫ ପ୍ରତିଶତ ହ୍ରାସ ହୋଇଛି ।