କନକ ବ୍ୟୁରୋ : ଦୁର୍ଘଟଣାର ଦିନ। ଆଜି ଗୋଟିଏ ଦିନରେ ୭ ଜଣଙ୍କର ଜୀବନ ଚାଲିଯାଇଛି ସଡ଼କ ଦୁର୍ଘଟଣାରେ । ସୁନ୍ଦରଗଡ଼ରେ ଗୋଟିଏ ଟ୍ରେଲରକୁ ପଛପଟୁ କାର ପିଟିବା ଯୋଗୁଁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସେପଟେ ଗଞ୍ଜାମ ଦିଗପହଣ୍ଡିରେ ମନ୍ଦିର ଦର୍ଶନ ସାରି ଫେରିବା ବେଳେ ୨ ଜଣଙ୍କର ଅକାଳ ବିୟୋଗ ଘଟିଛି।

Advertisment

ବାପାଙ୍କ ଶ୍ରାଦ୍ଧ ଦିନ ଆଖି ବୁଜିଲା ପୁଅ । ୧୨ଦିନ ତଳେ ବାପା ଆଉ ଆଜି ପୁଅର ମୃତ୍ୟୁ । ସୁନ୍ଦରଗଡ଼ ହେମଗିରି ଥାନା ଗଏକନପାଲିଠାରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ଛାତି ଥରାଇ ଦେଲାଭଳି । ଶୁକ୍ରବାର ରାତି ପ୍ରାୟ ୨ଟା ୩୦ ମିନିଟ୍ । ହେମଗିରି ଥାନା ଗଏକନପାଲି ନିକଟରେ ଛକି ବସିଥିଲା ମୃତ୍ୟୁ । ବାପା କାର୍ତ୍ତିକ ସିଦାରଙ୍କ ଦ୍ୱାଦଶାହ କର୍ମ ସାରିବା ପରେ ପୁଅ ଡୋଲାମଣି ରାତିରେ କୀର୍ତ୍ତନ ଦଳଙ୍କୁ ଧରି ଏକ ମାରୁତି ଭ୍ୟାନରେ ଫେରୁଥିଲେ । ସେହି ସମୟରେ ରାସ୍ତା ମଝିରେ ଛିଡ଼ା ହୋଇଥିବା ୧୮ ଚକିଆ ଟ୍ରେଲରକୁ ପଛରୁ ପିଟିଥିଲା ଭ୍ୟାନ୍ ।

ବଡ଼ କଥା ହେଲା, ୪ ଦିନ ତଳେ ଦୁର୍ଘଟଣାଗ୍ରସ୍ତ ପରେ ସେମିତି ଟ୍ରେଲରଟି ରାସ୍ତା ମଝିରେ ଛିଡ଼ା ହୋଇ ରହିଥିଲା । ପଛପଟୁ କାରଟି ପିଟିବାରୁ ଘଟଣାସ୍ଥଳରେ ଚାଲିଯାଇଥିଲା ୫ ଜଣଙ୍କ ଜୀବନ । ଗୁରୁତର ଅବସ୍ଥାରେ ୬ ଜଣ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ଦୁର୍ଘଟଣା ପରେ ଅନେକ ସମୟ ଧରି ଉତ୍ତେଜନା ଦେଖାଦେଇଛି । ଉଚିତ୍ କ୍ଷତିପୂରଣ ଓ ପିଡବ୍ଲୁଡି ରାସ୍ତାରେ କୋଇଲା ପରିବହନ ବନ୍ଦ କରିବା ଦାବିରେ ଆନ୍ଦୋଳନ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଭୋର ୫ଟାରୁ ଦୀର୍ଘ ୧୩ ଘଣ୍ଟା କାଳ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତା ଉପରେ ଅଟକି ରହିଛି ଶହ ଶହ ଗାଡ଼ି । ୪ ଦିନ ତଳେ ଦୁର୍ଘଟଣାଗ୍ରସ୍ତ ଟ୍ରେଲରଟି ରାସ୍ତା ଉପରେ ଥିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ପିଟିଦେଇଥିବା ଲୋକେ କହିଛନ୍ତି ।

ସେପଟେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁର୍ଘଟଣା । ବାଙ୍କେଶ୍ୱରୀ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଅଟୋ ସହ ବାଇକ୍ ମୁହାଁମୁହିଁ ଦୁର୍ଘଟଣାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ।