Photograph: (kanaknews)
କନକବ୍ୟୁରୋ : ରାଜସ୍ଥାନର ଦୌସାରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ବନ୍ଧୁଙ୍କର ମୃତ୍ୟୁ ହୋଇଛି । ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଏମାନେ ଦୁର୍ଘଟଣାର ଶିକାର ହୋଇଥିଲେ । କାର୍ରେ ଦ୍ରୁତ ଗତିରେ ଆସୁଥିବା ସମୟରେ ଜୟପୁର-ଆଗ୍ରା ଜାତୀୟ ରାଜପଥ ନିକଟରେ ନିୟନ୍ତ୍ରଣ ହରାଇ ଡିଭାଇଡର ଡେଇଁ ଅନ୍ୟ ଲେନ୍ (ଧାଡ଼ି)ରେ ଆସୁଥିବା ଟ୍ରେଲରକୁ ଧକ୍କା ଦେଇଥିଲା ।
ଧକ୍କା ଏତେ ଜୋରଦାର ଥିଲା ଯେ, କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଦୁର୍ଘଟଣା ଖବର ପାଇ ସିକନ୍ଦରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । କ୍ରେନ୍ ସାହାଯ୍ୟରେ ଟ୍ରେଲରଠାରୁ କାର୍କୁ ଅଲଗା କରାଯାଥିଲା। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସିକନ୍ଦରା ହସ୍ପିଟାଲରେ ଡାକ୍ତର ଚାରି ଜଣଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଦୌସା ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା । ଦୌସା ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଏସ୍ଏମ୍ଏସ୍ ହସ୍ପିଟାଲ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ମୃତକ ସମୟ ସିଂହ (୨୫), ଲୋକେଶ (୨୪), ଦିଲଖୁସ୍ (୨୪), ମନୀଷ (୨୩), ଅଙ୍କିତ (୨୬) ଓ ନବୀନ (୨୩) ବୋଲି ଜଣାପଡ଼ିଛି ।
ଏକାସାଙ୍ଗରେ ୬ ଜଣ ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବୁଧବାର ସକାଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା ।
Follow Us