କନକ ବ୍ୟୁରୋ : ମନରୁ ଲିଭିନି ବାଲେଶ୍ୱର ଏଫ୍‌ଏମ୍‌ କଲେଜର ଛାତ୍ରୀ ପୋଡ଼ିର କଥା , ପୁଣି ଘଟିଲା ଆଉ ଗୋଟିଏ ଲୋମହର୍ଷଣକାରୀ ଘଟଣା । ସମାନ ବାର , ଶନିବାର...ନ୍ୟାୟ ମାଗି ମାଗି ଥକ୍କି ପଡ଼ିଥିବା ଝିଅଟିଏ ପ୍ରିନ୍ସିପାଲ୍‌ ରୁମ୍‌ ସାମ୍ନାରେ କରିଥିଲା ଆତ୍ମଦାହ । ଏଫ୍‌ଏମ୍‌ କଲେଜରେ ପଢୁଥିବା ଝିଅଟି ଅଧ୍ୟାପଙ୍କ ଦୁର୍ବ୍ୟବହାରର ଶିକାର ହୋଇ ଅଭିଯୋଗ କରିଥିଲେ । ବିଧାୟକ , ସାଂସଦ ଏପରିକି ଲିଖିତ ଆକାରରେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କୁ ଏତେ ମାତ୍ରାରେ ମାନସିକ ନିର୍ଯାତନା ଦିଆଗଲା ଯେ ସେ ନ୍ୟାୟ ନ ପାଇ ଶେଷରେ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଲେ । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ପୀଡ଼ିତା । ଏହି ଘଟଣା ପୂରା ଓଡ଼ିଶାବାସୀଙ୍କୁ ଦୋହଲାଇ ଦେଇଛି । ହେଲେ ଏହି ଘଟଣାକୁ ୮ ଦିନ ନ ପୂରୁଣୁ ପୁଣି ବଳଙ୍ଗାରେ ଘଟିଛି ଅଘଟଣ । 

Advertisment

ଆଜି ସକାଳର ଘଟଣା । ଯୁବତୀ କିଛି ବହି ନେଇ ନିଜ ସାଙ୍ଗ ଘରକୁ ଯାଉଥିବାବେଳେ ୩ଜଣ ଯୁବକ ତାଙ୍କ ମୁହଁରେ କପଡ଼ା ପକାଇ ତାଙ୍କୁ ନଦୀବନ୍ଧ ଆଡ଼କୁ ନେଇଯାଇ ସେଠାରେ ତାଙ୍କ ଉପରେ କିରୋସିନ୍‌ ଢାଳି ନିଆଁ ଲଗାଇଦେଇଥିଲେ । ଏହି ଘଟଣା ସାରା ଅଞ୍ଚଳକୁ ହୁଲୁସ୍ତୁଲ କରିଦେଇଛି । ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ବାଲେଶ୍ବର ଛାତ୍ରୀ ପୋଡ଼ି ଘଟଣା ସାରା ରାଜ୍ୟକୁ ଦୋହଲାଇଦେଇଥିବାବେଳେ ଏ ଘଟଣା ନିଆଁରେ ଘିଆ ଢାଳିବା ପରି ହୋଇଛି । ଏହାକୁ ନେଇ ରାଜନୈତିକ ମହଲରେ ଯେତିକି ଆଲୋଡ଼ନ ସୃଷ୍ଟି ହୋଇଛି ସାଧାରଣ ଜନତାଙ୍କ ମଧ୍ୟରେ ସେତିକି ଅସନ୍ତୋଷ ସୃଷ୍ଟି କରିଛି  ।