କନକ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହେବ ଟ୍ରାଫିକ ୱାଡେନ୍ ବ୍ୟବସ୍ଥା । ପ୍ରାଥମିକ ଭାବେ ୫ଟି ଜିଲ୍ଲାରେ ୫୦୦ ଟ୍ରାଫିକ ୱାଡେନ୍ ନିଯୁକ୍ତ ହେବେ ।ଏହାପରେ ବାକି ଜିଲ୍ଲା ଗୁଡିକରେ ନିଯୁକ୍ତି ହେବେ । ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଯେଉଁ ୫ ଜିଲ୍ଲାରେ ଟ୍ରାଫିକ୍ ୱାଡେନ୍ ନିଯୁକ୍ତ ହେବେ, ସେହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼। ଏହି ନିଯୁକ୍ତି ଦାୟିତ୍ବ ଜିଲ୍ଲାର ଏସପି ମାନଙ୍କୁ ଦିଆଯିବ । ସେମାନଙ୍କୁ ଟ୍ରାଫିକ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ଦିଆଯିବ। ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ବଢ଼ିଚାଲିଛି ଦୁର୍ଘଟଣାର ହାର ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଆଜିର ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଉପକୂଳ ଏବଂ ରେଳବାଇ ସୁରକ୍ଷା) ଅରୁଣ ବୋଥ୍ରା, ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତିଙ୍କ ସମେତ ରାଜ୍ୟ ପରିବହନ ପ୍ରାଧିକରଣର ଅଧିକାରୀମାନେ ଉପସ୍ଥିତ ଥିଲେ ।