କନକ ବ୍ୟୁରୋ: ଟ୍ରାଫିକ ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । ଜରିମାନା ନଦେଇ ବର୍ତ୍ତିପାରିବେନି ଅମାନିଆ । ଆଗ ଆରସି ବାତିଲ ହେବ । ବାରମ୍ବାର ଟ୍ରାଫିକ ନିୟମ ଭାଙ୍ଗିଲେ ଗାଡିକୁ ଅଧରାସ୍ତାରେ ଉଠାଇନେବେ ଟ୍ରାଫିକ ପୁଲିସ । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ସାବାଡ କରିବାକୁ କଠୋର ହେଉଛି କେନ୍ଦ୍ର । 

Advertisment

ଟ୍ରାଫିକ ନିୟମ ଭାଙ୍ଗି ବେଫିକର ବୁଲୁଛନ୍ତି ଉଲ୍ଲଂଘନକାରୀ। ଜରିମାନା କଟିଲେ ବି ଖାତିର ନଥିଲା। କିନ୍ତୁ ଏବେ ଆଉ ନିସ୍ତାର ମିଳିବନି। ଜରିମାନା ନଦେଲେ ଆଗକୁ ଆରସି ହେବ ବାତିଲ। କିଛି ଏଭଳି କଠୋର ଆଭିମୁଖ୍ୟ ଆପଣାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର। ପୂର୍ବ ମୋଟରଯାନ ଆଇନରେ ସଂଶୋଧନ ଆଣି ଚିଠା ପ୍ରସ୍ତାବ ବିଜ୍ଞପ୍ତି ଜାରି କରାଯାଇଛି। ଏନେଇ ମତାମତ ମିଳିବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବ କେନ୍ଦ୍ର ସଡ଼କ ପରିବହନ ବିଭାଗ। ଚାଲାଣ କଟିବାର ୪୫ ଦିନ ମଧ୍ୟରେ ଅପିଲ କରିପାରିବେ ଗାଡିଚାଳକ। ଏଥିପାଇଁ ଗାଡି ମାଲିକଙ୍କୁ ଅପିଲେଟ୍ ଅଥରିଟିକୁ ଯିବାକୁ ପଡିବ। ଅପିଲେଟ୍ ଅଥରିଟି ଅଭିଯୋଗ ଉପରେ ରାୟ ଦେଲେ କୋର୍ଟରେ ଆବେଦନ କରିବାକୁ ୭ ଦିନର ସମୟ ଉଲ୍ଲଘଂନକାରୀଙ୍କୁ ଦିଆଯିବ। ହେଲେ ଜରିମାନା ନଦେଲେ କିମ୍ବା ଅପିଲେଟ୍ ଅଥରିଟିକୁ ନଗଲେ ଗାଡି ଆରସି ବାତିଲ ହେବ। 

ଅପିଲେଟ୍ ଅଥରିଟି ଦାୟିତ୍ବରେ ଜଣେ ଡେପୁଟି କମିସନର ରାଙ୍କର ଅଧିକାରୀ ରହିବେ। ଯିଏ ଇ-ଚାଲାଣ ସଂକ୍ରାନ୍ତ ଅଭିଯୋଗର ଶୁଣାଣି କରିବେ। ଏହାବାଦ୍ ୫ ଥରରୁ ଅଧିକ ଚାଲାଣ କଟିଥିବା ଗାଡିକୁ ରାସ୍ତାରୁ ଜବତ କରାଯାଇପାରିବ। ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ କଟିଥିବା ଚାଲାଣ ମଧ୍ୟ ଦେବାକୁ ପଡ଼ିବ। କେବଳ ରାସ୍ତାରେ ଲାଗିଥିବା କ୍ୟାମେରା ନୁହେଁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଫଟୋ ଯେ କେହି ବି ଦେଲେ କଟିବ ଚାଲାଣ। ଯାହାଦ୍ବାରା ଟ୍ରାଫିକ ନିୟମକୁ କେବଳ କଡାକଡି କରାଯିବନି ବରଂ ଅମାନିଆ ଚାଳକ ମଧ୍ୟ ସାବାଡ ହେବେ। 

ଦିନକୁ ଦିନ ବଢୁଛି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପ୍ରାର୍ଦୁଭାବ । ଯେଉଁଥିପାଇଁ ଦୁର୍ଘଟଣା ସଂଖ୍ୟା ବଢି ଚାଲିଛି । ଏବେ ଏଥିରେ ବ୍ରେକ ଦେବାକୁ କଠୋର ହୋଇଛନ୍ତି କେନ୍ଦ୍ର ସରକାର ।