କନକ ବ୍ୟୁରୋ: ଗତକାଲି ଷଷ୍ଠୀପୂଜାରୁ ହିଁ ଟ୍ରାଫିକ ଜାମ୍ ଅସମ୍ଭାଳ ହୋଇପଡ଼ିଛି । ୧୦୦ ମିଟର ଗାଡ଼ି ଗଡ଼ିବା ପାଇଁ ଅଧ ଘଣ୍ଟା ସମୟ ଲାଗୁଛି । କମିସନରେଟ୍ ପୁଲିସର ସବୁ ଯୋଜନା, କଟକଣା ଫେଲ୍ ମାରିଛି । ଏବେଠୁ କିଛି ଯୋଜନା ଓ କଠୋର ପଦକ୍ଷେପ ଗ୍ରହଣ ନ କଲେ ଭିଡ଼ ନିୟନ୍ତ୍ରଣ କରିବାକୁ କମିସନରେଟ୍ ପୁଲିସ ପାଇଁ କାଠିକର ପାଠ ହୋଇଯିବ ବୋଲି ରାଜଧାନୀର ଭିଡ଼କୁ ଦେଖି ବୁଦ୍ଧିଜୀବୀମାନେ କହିଛନ୍ତି । ବିଶେଷ କରି ଭିଡ଼ ବଢ଼ୁଥିବାରୁ ଆମ୍ବୁଲାନ୍ସ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି ।
ସୂଚନା ଅନୁସାରେ କିଛି ଦିନ ପୂର୍ବରୁ କମିସନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ଦଶହରା ବଜାରରୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଥିଲା । ଦିନ ୨ଟାରୁ ରାତି ୨ଟା ଯାଏଁ ଭାରୀଯାନ ସହର ଭିତରକୁ ପ୍ରବେଶ କରି ପାରିବ ନାହିଁ । ଏହାସହିତ ସହର ମଧ୍ୟରେ ଟ୍ରାଫିକ୍ ନିୟନ୍ତ୍ରିଣ କରିବା ପାଇଁ ଟ୍ରାଫିକ୍ ୱାର୍ଡେନ୍ ଓ ଟ୍ରାଫିକ୍ ଭଲ୍ୟୁଣ୍ଟରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏଫ୍ଏମ୍ ମାଧ୍ୟମରେ ମଧ୍ୟ ଟ୍ରାଫିକ୍ ଖବର ପରିବେଷଣ କରାଯାଉଛି । ଏହା ପରେ ମଧ୍ୟ ଆଜି ଷଷ୍ଠୀରେ ରାଜଧାନୀର ଟ୍ରାଫିକ୍ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ସହର ସାରା ଟ୍ରାଫିକ୍ ଜାମ୍ । ଭାରତ ପାକିସ୍ତାନ ଭଳି ହାଇପ୍ରୋଫାଇଲ୍ କ୍ରିକେଟ୍ ମ୍ୟାଚ୍ ଫାଇନାଲ୍ ରହିଥିଲେମଧ୍ୟ ଟ୍ରାଫିକ୍ କମ୍ ହେବ ବଦଳରେ ଅସମ୍ଭାଳ ହୋଇଛି ।
ଆଜି ବିଲ୍ବବରଣ ସହ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଆବାହନ ଆରମ୍ଭ ହୋଇଛି । ତେଣୁ ବିଭିନ୍ନ ପୂଜାମଣ୍ଡପକୁ ସାଧାରଣ ଲୋକଙ୍କ ଭିଡ଼ ବଢ଼ିଛି । ତେଣୁ ପୂଜାମଣ୍ଡପକୁ ଲାଗି ଥିବା ରାସ୍ତାରେ ଜାମ ବଢ଼ୁଛି । ଯିଏ ବି ଯାଉଛି ପୂଜା ମଣ୍ଡପ ସମ୍ମୁଖରେ ଘଡ଼ିକେ ଅଟକି ଯାଉଛି । ଫଳରେ ମଣ୍ଡପ ସମ୍ମୁଖ ରାସ୍ତାରେ ଭିଡ଼ ବଢ଼ୁଛି । ପରେ ପଛକୁ ପଛ ଗାଡ଼ି ଅଟକି ଯାଉଛି । ରସୁଲଗଡ଼ର- କଳ୍ପନା ଛକ, ଜୟଦେବ ବିହାର-ପଟିଆ ରୋଡ, ରାଜମହଲ-ଏଜି ଛକ ସହିତ ଜନପଥ ଆଦି ମୁଖ୍ୟ ରାସ୍ତାକୁ ଲାଗି ମଣ୍ଡପଗୁଡ଼ିକ ଥିବାରୁ ଏହାର ସଂଲଗ୍ନ ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ପୁଲିସ ହାତରୁ ବାହାରି ଯାଇଥିଲା । ବାଣୀବିହାର, ଆଚାର୍ଯ୍ୟବିହାର ଆଦି ଛକରେ ଗାଡ଼ି ଅଧଘଣ୍ଟା ଅଟକି ଯାଇଥିଲା । ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା । ସର୍ଭିସ୍ ରୋଡ୍ଗୁଡ଼ିକରେ ଭିଡ଼ ହେଉଥିବାରୁ ଜାତୀୟ ରାଜପଥରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା । ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା । ପରେ ବିଭିନ୍ନ ଛକରେ ଡାଇଭର୍ସନ କରାଯିବା ପରେ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣକୁ ଆସିଥିଲା ।
ମଣ୍ଡପ ସମ୍ମୁଖରେ ଟ୍ରାଫିକ ପୁଲିସ ରହୁ ନାହାନ୍ତି । ଫଳରେ ଭୁବନେଶ୍ବରର ଲୋକମାନେ ଗାଡ଼ିରୁ ନ ଓହ୍ଲାଇ ଗାଡ଼ି ଭିତରେ ରହି ରାସ୍ତାଉପରେ ଗାଡ଼ି ଅଟକାଇ ମଣ୍ଡପ ଦେଖୁଛନ୍ତି । ଏଥିରେ ପ୍ରତିବନ୍ଧକ ଲାଗିବା ଆବଶ୍ୟକ । ମଣ୍ଡପ ସମ୍ମୁଖ ରାସ୍ତାରେ ଟ୍ରାଫିକ ପୁଲିସ ରହିବା ଆବଶ୍ୟକ । ଯେ କେହି ବି ଗାଡ଼ି ଅଟକାଉଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଜଣେ ବୁଦ୍ଧିଜୀବୀ କହିଛନ୍ତି ।