କନକବ୍ୟୁରୋ : ବିଶ୍ବର ଦୁଇ ପ୍ରମୁଖ ଅର୍ଥନୀତି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟିକ ବିବାଦ ଚରମରେ ପହଞ୍ଚିଛି  । ଭାରତର ରପ୍ତାନି ଉପରେ ଅଗଷ୍ଟ ୨୭ ତାରିଖ (ବୁଧବାର) ଠାରୁ ଯୁକ୍ତରାଷ୍ଟ୍ର ଆମେରିକା ୫୦ ପ୍ରତିଶତର ଚଢ଼ା ଶୁଳ୍କ ଲାଗୁ କରିବ ।  ରୁଷ୍‌ଠାରୁ ଅଧିକ ତେଲ କିଣି ଭାରତ  ପରୋକ୍ଷରେ ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରୁଥିବା ଅଭିଯୋଗ ଆଣି ଟ୍ରମ୍ପ ନୂଆଦିଲ୍ଲୀ ଉପରେ ଜରିମାନା ଭାବେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଚଳିତ ମାସ ୬ ତାରିଖରେ ଘୋଷଣା କରିଥିଲେ   । 

Advertisment

ଏଥିପାଇଁ ୨୧ ଦିନ ସମୟ ଦେଇଥିଲେ । ଏହି ମହଲତ ଆସନ୍ତାକାଲି (ଅଗଷ୍ଟ ୨୭) ପୂରଣ ହେଉଛି  ।   ଜୁଲାଇ ଶେଷ ସୁଦ୍ଧା ଆମେରିକା ସହିତ ବାଣିଜ୍ୟ ରାଜିନାମା କରିବାରେ ବିଫଳ ହେବାରୁ ନୂଆଦିଲ୍ଲୀ ଉପରେ ୨୫ ପ୍ରତିଶତ ପାଲଟା ଶୁଳ୍କ ୱାସିଂଟନ ଚଳିତ ମାସ ୭ ତାରିଖରୁ ଲଗାଇଛି ।  ଚଢ଼ାଶୁଳ୍କ ଦ୍ବାରା ଆମେରିକାକୁ ଭାରତ କରୁଥିବା ମୋଟ ୮୫ ବିଲିଅନ ଡଲାର ମୂଲ୍ୟ ରପ୍ତାନିର ୫୫ ପ୍ରତିଶତ ନିକଟ ଭବିଷ୍ୟତରେ ପ୍ରଭାବିତ ହେବ ବୋଲି ରପ୍ତାନିକାରୀମାନେ ଆଶଙ୍କା କରୁଛନ୍ତି ।  ଏହାଦ୍ବାରା ବାଂଲାଦେଶ, ଚୀନ ଏବଂ ଭିଏତନାମ ଭଳି ପ୍ରତିଯୋଗୀ‌ ଦେଶ ଭାରତକୁ ଅସୁବିଧାରେ ପକାଇବେ ।

ନୂଆ ଶୁଳ୍କ ଆମେରିକା ସମୟ ଇଡିଟି ୧୨ଟା ୦୧ ମିନିଟ୍‌ (ଭାରତୀୟ ସମୟ ସକାଳ ୯ଟା ୩୧ ମିନିଟ)ରୁ କାର୍ଯ୍ୟକାରୀ ହେବ। ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ନେଇ ରାଷ୍ଟ୍ରପତି ଟ୍ରମ୍ପ କରିଥିବା ଘୋଷଣା ସଂପର୍କରେ ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ତେବେ ଯାତାୟାତରେ ଥିବା ସାମଗ୍ରୀ, ମାନବୀୟ ସହାୟତା ଏବଂ ପାରସ୍ପରିକ ବ୍ୟାପାର କାର୍ଯ୍ୟକ୍ରମ ଅଧୀନରେ ଆସୁଥିବା ସାମଗ୍ରୀ ଉକ୍ତ ଶୁଳ୍କରୁ ବାଦ୍‌ ପଡ଼ିବ । 

ଆମେରିକାର ଉଚ୍ଚା ଶୁଳ୍କ ଆସନ୍ତାକାଲିଠାରୁ ଲାଗିବାକୁ ଯାଉଥିବାବେଳେ ଏହାର ମୁକାବିଲା କିଭଳି କରାଯିବ ତାହା ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଆଜି ଏକ ଜରୁରୀ ଉଚ୍ଚସ୍ତରୀୟ ବୈଠକ ହୋଇଛି ।  ଏଥିରେ ବରିଷ୍ଠ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମେତ ଅର୍ଥ ଓ ବାଣିଜ୍ୟ ମନ୍ତ୍ରାଳୟର ଶୀର୍ଷ ଅଧିକାରୀମାନେ ଯୋଗ ଦେଇଛନ୍ତି। ଭାରତ ପକ୍ଷରୁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ରପ୍ତାନିକାରୀମାନଙ୍କୁ କି ପ୍ରକାର ରିହାତି ଦିଆଯିବ ସମ୍ଭବତଃ ଏହି ବୈଠକରେ ତାହା ନିର୍ଦ୍ଧାରଣ ହେବ। 

ଭାରତ କୌଣସି ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଅହମଦାବାଦଠାରେ ଦୋହରାଇଛନ୍ତି। ସ୍ବଦେଶୀ ସାମଗ୍ରୀ କ୍ରୟ କରି ଭାରତକୁ ଆତ୍ମନିର୍ଭର କରିବାକୁ ସେ ଆହ୍ବାନ ଦେଇଛନ୍ତି।  ଚାଷୀ, କ୍ଷୁଦ୍ର ବ୍ୟବସାୟୀ ଓ ଦୁଗ୍ଧଚାଷୀଙ୍କ ସ୍ବାର୍ଥର ସୁରକ୍ଷା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ସେମାନଙ୍କ ସ୍ବାର୍ଥ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ । 

ଯେତେ ଚାପ ଦେଲେ ମଧ୍ୟ ଆମେ ନଇଁବୁ ନାହିଁ ।  ତାହାକୁ ମୁକାବିଲା ପାଇଁ ଆମେ ସହ୍ୟ ଶକ୍ତି ବଢ଼ାଇବୁ ବୋଲି କହି ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ତେଣୁ ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବ ନାହିଁ କିମ୍ବା ଆମେରିକାର ଶୁଳ୍କକୁ ଖାତିର କରିବ ନାହିଁ ବୋଲି ଅନୁମାନ କରାଯାଉଛି ।  ଅନ୍ୟପକ୍ଷରେ ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ରାଜିନାମା ‌ପାଇଁ ଦୁଇ ଦେଶ ମଧ୍ୟରେ ୫ଟି ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ ବାଣିଜ୍ୟ ରାଜିନାମା ହୋଇ ପାରିନାହିଁ  । 

ଯଦି ଏହା ହୋଇ ପାରିଥାନ୍ତା, ତା ହେଲେ ଶୁଳ୍କ ୧୫ ପ୍ରତିଶତରେ ରହିଥାନ୍ତା ବୋଲି ଅଧିକାରୀମାନେ ଆଶାବାଦୀ ଥିଲେ। ଚଢ଼ା ଶୁଳ୍କରୁ ନିକଟ ଭବିଷ୍ୟତରେ ଭାରତକୁ କୌଣସି ଆଶ୍ବସ୍ତି ମିଳିବା ସମ୍ଭାବନା ନାହିଁ ବୋଲି ବାଣିଜ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଆମେରିକାର ଉଚ୍ଚ ଶୁଳ୍କ ଦ୍ବାରା ପ୍ରଭାବିତ ହେବାକୁ ଥିବା ରପ୍ତାନିକାରୀମାନଙ୍କୁ ଆର୍ଥିକ ସହାୟତା ଦିଆଯିବ। ଆମେରିକା ପରିବର୍ତ୍ତେ ଚୀନ, ଲାଟିନ ଆମେରିକା ଏବଂ ମଧ୍ୟପ୍ରାଚ୍ୟ ଭଳି ବିକଳ୍ପ ବଜାରରେ ରପ୍ତାନିକାରୀମାନେ ସେମାନଙ୍କ ସାମଗ୍ରୀ ବିକ୍ରି କରିବା ଲାଗି ଅଧିକାରୀଜଣକ ମତ ଦେଇଛନ୍ତି।