କନକ ବ୍ୟୁରୋ : ବିଦ୍ୟୁତ ଚୋରିକୁ ତୃଣମୂଳ ସ୍ତରରୁ ରୋକିବା ପାଇଁ ବିଶେଷ ଗୁରୁତ୍ଵ ଦେଉଛି ଟିପିଏନଓଡିଏଲ । ଉପଭୋକ୍ତାମାନଙ୍କୁ ନିରବଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ସେବା ପ୍ରଦାନ ଦିଗରେ କମ୍ପାନୀ ବିଶେଷ ଧ୍ୟାନ ଦେଉଛି । ଏହି କ୍ରମରେ ପ୍ରାୟ ୩୬୨ ମେଗାୱାଟ ବିଜୁଳି ଚୋରିକୁ ରୋକିବାରେ ଟିପିଏନଓଡିଏଲ ସଫଳ ହୋଇଛି ଓ ୧ ଲକ୍ଷ ୨୯ ହଜାର ମାମଲା ଦାୟର କରିଛି । ମିଳିଥିବା ସୂଚନା ମୁତାବକ ୨୦୨୧-୨୨ ଆର୍ଥିକ ବର୍ଷରେ ୩୭ହଜାର ୯୩୮ଟି ମାମଲା ରୁଜୁ କରିବା ସହ ୭୩.୨୩ ମେଗାୱାଟ ବିଦ୍ୟୁତ ଚୋରି ରୋକିବାରେ ଟିପିଏନଓଡିଏଲ ସକ୍ଷମ ହୋଇଥିବା ବେଳେ ୨୦୨୨-୨୩ରେ ୩୬,୪୨୯ଟି ମାମଲା ଦାୟର କରିବା ସହ ୧୦୧.୧୨ ମେଗାୱାଟ ବିଜୁଳି ଚୋରି ରୋକି ପାରିଛି । ସେହିପରି ୨୦୨୩-୨୪ରେ ଟିପିଏନଓଡିଏଲ ପକ୍ଷରୁ ଶହେ ମେଗାୱାଟ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଏପର୍ୟ୍ୟନ୍ତ ୬୩.୮୩ ମେଗାୱାଟ ବିଦ୍ୟୁତ ଚୋରି ରୋକାଯିବା ସହ ପାଖାପାଖି ୧୭ହଜାର ୫୯୮ ମାମଲା ଦାୟର କରାଯାଇଛି ।

Advertisment

ବିଦ୍ୟୁତ ଚୋରିକୁ ରୋକିବା ପାଇଁ ପ୍ରତି ସେକ୍ସନ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସର୍କଲ କାର୍ଯ୍ୟାଳୟ ଏପରିକି କେନ୍ଦ୍ରୀୟ ଟିମ ଗଠନ କରି ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ଵିତ କରୁଛି । ୩୪ଟି ସ୍ଵତନ୍ତ୍ର ଟିମ୍ ସାହାଯ୍ୟରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ସହ ବିଦ୍ୟୁତ ଚୋରିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଟିପିଏନଓଡିଏଲ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ଦର୍ଶାଇଛି । ଅପରପକ୍ଷେ ବିଦ୍ୟୁତ ଚୋରି ସିଧାସଳଖ ଭାବରେ ସଚ୍ଚୋଟ ଉପଭୋକ୍ତାମାନଙ୍କୁ ପ୍ରଭାବିତ କରିଥାଏ । ଏହା ଦ୍ଵାରା ଅଧିକ ବିଦ୍ୟୁତ ଖର୍ଚ୍ଚ ହୁଏ ଓ ବିଦ୍ୟୁତ ଶୁଳ୍କ ଭାର ଅଜାଣତରେ ସଚ୍ଚୋଟ ଉପଭୋକ୍ତାମାନଙ୍କୁ ବହନ କରିବାକୁ ପଡେ । ବିଦ୍ୟୁତ ଚୋରି, ବ୍ୟକ୍ତିଗତ ପରିଣାମଠାରୁ ସାମଗ୍ରିକ ଭାବେ ପ୍ରଭାବ ଅଧିକ ପକାଏ । ଯେପରିକି ବାରମ୍ବାର ବିଦ୍ୟୁତ କାଟ, ବିଦ୍ୟୁତ ସୁରକ୍ଷାରେ ପ୍ରଭାବ, ଟ୍ରାନ୍ସଫର୍ମର ଓଭରଲୋଡିଂ ଏବଂ ଭୋଲଟେଜ ଅସ୍ଥିରତା ଭଳି ପରିସ୍ଥିତିରେ ସଚ୍ଚୋଟ ଉପଭୋକ୍ତାମାନେ ସମ୍ମୁଖୀନ ହୋଇଥାନ୍ତି । ତେଣୁ ବିଦ୍ୟୁତ ଚୋରି ରୋକିବାକୁ ଟିପିଏନଓଡିଏଲ ଅଭିନବ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି । ସାଧାରଣ ଲୋକମାନଙ୍କ ନଜରରେ କେହି ବିଦ୍ୟୁତ ଚୋରି କରୁଥିବାର ଆସିଲେ ସେମାନେ ମଧ୍ୟ ସଚେତନ ନାଗରିକ ଭାବେ ନିଜର ଅଭିଯୋଗ ଟିପିଏନଓଡିଏଲ ନିକଟରେ ଦାଖଲ କରୁଛନ୍ତି । ୯୪୩୮୯୦୬୦୦୨ ନମ୍ବର ଯୋଗେ ସେମାନେ ନିଜର ଅଭିଯୋଗ ଦାଖଲ କରୁଛନ୍ତି । ସେମାନଙ୍କ ତଥ୍ୟ ଗୋପନ ରଖାଯିବା ସହ ଅସାଧୁ ଉପାୟରେ ବିଜୁଳି ବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଟିପିଏନଓଡ଼ିଏଲ ପକ୍ଷରୁ କୁହାଯାଇଛି ।