TPNODL Photograph: (kanak news)
କନକ ବ୍ୟୁରୋ : ଜାତୀୟ ସ୍ତରରେ ଏକ ଉତ୍କର୍ଷ ବିଦ୍ୟୁତ୍ ବିତରଣ ସଂସ୍ଥା ଭାବେ ସ୍ଥାନିତ ହୋଇଛି ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ଲିମିଟେଡ(ଟିପିଏନଓଡ଼ିଏଲ) । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୫ର ୧୪ତମ ସମନ୍ବିତ ରେଟିଂ ଏବଂ ରାଙ୍କିଙ୍ଗ ରିପୋର୍ଟରେ ସାରା ଦେଶର ୫୪ଟି ବିଦ୍ୟୁତ ବିତରଣ ସଂସ୍ଥା ମଧ୍ୟରୁ ଟିପିଏନଓଡ଼ିଏଲ ସମ୍ମାନଜନକ ଏ+ ମୂଲ୍ୟାଙ୍କ ହାସଲ କରିବା ସହ ଓଡ଼ିଶାରେ ପ୍ରଥମ ଓ ସର୍ବଭାରତୀୟ ସ୍ତରରେ ନବମ ସ୍ଥାନରେ ରହିଛି। ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲାର ବିଦ୍ୟୁତ ଆବଣ୍ଟନ ଦାୟିତ୍ଵ ନେଇଥିବା ଟିପିଏନଓଡିଏଲ ଏଥିରେ ୯୪.୭୭ ସ୍କୋର ହାସଲ କରିଛି ।
ଟିପିଏନଓଡ଼ିଏଲ ଦାୟିତ୍ଵଗ୍ରହଣ କରିବା ପରଠାରୁ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ସମଗ୍ର ଉତ୍ତର ଓଡ଼ିଶାରେ ବେଶ ସୁଧାର ସହ ଅତ୍ୟାଧୁନିକ ଓ ବୈଷୟିକ ଜ୍ଞାନକୌଶଳ ବିତରଣ କ୍ଷେତ୍ରରେ ସଂସ୍କାରକୁ ଅଧିକ ସଂଗଠିତ କରିଛି। ସମନ୍ଵିତ ବାଣିଜ୍ୟିକ ଓ ସଞ୍ଚାରଣ(ଏଟି ଏଣ୍ଡ ସି) କ୍ଷତି ୨୫.୧୭ ପ୍ରତିଶତରୁ ୧୨.୬୪ ପ୍ରତିଶତରେ ପହଞ୍ଚି ଥିବାବେଳେ ୫,୫୦୦ ସର୍କିଟ କିମିରୁ ଅଧିକ ନୂଆ ୧୧କେଭି ଲାଇନ ସଂଯୁକ୍ତ ହୋଇଛି। ୬୫୩ ସର୍କିଟ କିମି ୩୩କେଭି ଲାଇନ, ୨୬୬୨ ସର୍କିଟ କିମି ଏଲଟି ଲାଇନ ବୃଦ୍ଧି ହୋଇଥିବାବେଳେ ସାଇଡି ଓ ସାଇଫିରେ ମଧ୍ୟ ବେଶ୍ ସୁଧାର ଆସିଛି। ଉପଭୋକ୍ତାଙ୍କ ସଂଖ୍ୟା ଓ ସ୍ଵାର୍ଥକୁ ଦୃଷ୍ଟିରେ ରଖି ୧୦ହଜାର ୭ଶହରୁ ଅଧିକ ବିତରଣ ଟ୍ରାନ୍ସଫର୍ମର ଓ ୭୮ଟି ନୂଆ ପିଟିଆର ସ୍ଥାପନ କରାଯାଇଛି। ଏହା ସହ ଅତ୍ୟାଧୁନିକ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର(ପିଏସସିସି) ‘ସ୍କାଡା’ ଦ୍ଵାରା ପିଏସଏସ ଗ୍ରୀଡଗୁଡିକ ସଞ୍ଚାଳିତ ହେଉଥିବାବେଳେ ବିତରଣ ବ୍ୟବସ୍ଥାକୁ ଏବେ ଆଧୁନିକରଣ କରାଯିବା ସହ ବୈଷୟିକ ତ୍ରୁଟି ସଜାଡିବା ପ୍ରକ୍ରିୟା ସହଜ ଓ ସରଳ ହୋଇଛି ।
କେବଲ ଫଲ୍ଟ ଲୋକେଟର, ଅଟୋ ରିକ୍ଲୋଜର, ଟ୍ରଲି ମାଉଣ୍ଟେଡ ଡିଟିଆର, ଭୂତଳ କେବଲ ବ୍ୟବସ୍ଥା, ଡ୍ରୋନ ଦ୍ଵାରା ଥର୍ମୋଗ୍ରାଫି ଆଦି ନୂତନ ଅତ୍ୟାଧୁନିକ ବ୍ୟବସ୍ଥା ଗୁଣାତ୍ମକ ବିଦ୍ୟୁତ ସେବା ବିତରଣକୁ ସୁନିଶ୍ଚିତ କରିଛି। ଉଲ୍ଲେଖନୀୟ ବିଷୟ ହେଲା, ପୂର୍ବରୁ ବିପଦଜନକ ସ୍ଥିତିରେ ଥିବା ବିଦ୍ୟୁତ ସବ-ଷ୍ଟେସନ ଓ ଟ୍ରାନ୍ସଫର୍ମରଗୁଡ଼ିକର ଏବେ ରୂପାନ୍ତରଣ ହୋଇଛି। ପଶୁପକ୍ଷୀଙ୍କ ସମେତ ପିଲାଛୁଆ କେହି ଯେମିତି ଏହାର ସଂସ୍ପର୍ଶରେ ନ ଆସିବେ, ସେଥିପାଇଁ ଟ୍ରାନ୍ସଫର୍ମରଗୁଡିକୁ ପକ୍କା ପ୍ରାଚୀର କିମ୍ବା ଶକ୍ତ ତାର ଜାଲି ଦ୍ବାରା ଆବଦ୍ଧ କରାଯାଉଛି। ୧୧ କେଭିଠାରୁ ଆରମ୍ଭ କରି ଏଲଟି ତଥା ୩୩ କେଭି ପର୍ଯ୍ୟନ୍ତ ବିଦ୍ୟୁତ ତାର ଓ ଖୁଣ୍ଟଗୁଡ଼ିକ ଆଦି ଭିତ୍ତିଭୂମି କ୍ରମଶଃ ସଶକ୍ତ ହେବାରେ ଲାଗିଛି। ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ଟିମ କାର୍ଯ୍ୟ କରୁଛନ୍ତି । ସମସ୍ତ କର୍ମଚାରୀ ଓ ଶ୍ରମିକଙ୍କୁ ନିରାପତ୍ତା ଉପକରଣ ଯୋଗାଇ ଦିଆଯାଉଛି। ସମସ୍ତଙ୍କୁ ସ୍ବତନ୍ତ୍ର ଶିବିର ଦ୍ବାରା ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଓଡ଼ିଶାରେ ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ଏହା ଏକ ଉଦାହରଣ ସୃଷ୍ଟି କରିଛି
।
ତେବେ ଏ ସମ୍ପର୍କରେ ଟିପିଏନଓଡ଼ିଏଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଜାନନ କାଲେ କହିଛନ୍ତି ଯେ, ଉପଭୋକ୍ତାଙ୍କ ସ୍ବାର୍ଥରକ୍ଷା ସାଙ୍ଗକୁ ଗୁଣାତ୍ମକ ସେବା ଓ ନିରାପତ୍ତା କ୍ଷେତ୍ରରେ ଅନେକ ସଂସ୍କାର ଆସିଛି ଏବଂ ରୂପାନ୍ତରଣର ଧାରା ମଧ୍ୟ ଜାରି ରହିଛି। କର୍ମଚାରୀଙ୍କ ନିଷ୍ଠାପରତା, ଉପଭୋକ୍ତାଙ୍କ ଆମ ଉପରେ ଆସ୍ଥା ସର୍ବୋପରି ସରକାର ତଥା ଜନସାଧାରଙ୍କ ସହଯୋଗ ଯୋଗୁଁ ସମନ୍ବିତ ରେଟିଂ ଏବଂ ରାଙ୍କିଙ୍ଗରେ ଟିପିଏନଓଡ଼ିଏଲ ଉତ୍କର୍ଷତା ପ୍ରତିପାଦନ କରିଥିବା ସେ ଦର୍ଶାଇଛନ୍ତି।
Follow Us