କନକ ବ୍ୟୁରୋ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ସହ ସାମାଜିକ ଦାୟିତ୍ଵବୋଧତା ତଥା ସିଏସଆର ବିନିଯୋଗ କ୍ଷେତ୍ରରେ ଗୁରୁଦାୟିତ୍ଵ ବହନ କରୁଛି । ଉପାନ୍ତ ଓ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡ଼ି ଜନସାଧାରଣଙ୍କ ପାଇଁ ବରଦାନ ସାଜିଛି । ବିଗତ ତିନି ବର୍ଷ ମଧ୍ୟରେ ୫ଲକ୍ଷ ୫୯ ହଜାରରୁ ଅଧିକ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଇଛି ଟିପିଏନଓଡିଏଲ ।

Advertisment

ଟିପିଏନଓଡିଏଲ ପକ୍ଷରୁ ମାଗଣା ମୋବାଇଲ ସ୍ୱାସ୍ଥ୍ୟ ସେବା ନିମିତ୍ତ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ବାଲେଶ୍ଵର ଜିଲ୍ଲା ସମେତ ଯାଜପୁର, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆରମ୍ଭ କରାଯାଇଛି । ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ମୋଟ ୫ଟି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଉପଲବ୍ଧ କରାଯାଇଥିବା ବେଳେ ଏଯାବତ ମୋଟ ୩ ହଜାର ୭୨୦ଟି ସ୍ୱାସ୍ଥ୍ୟ କ୍ୟାମ୍ପ ଆୟୋଜନ କରାଯାଇଛି ।

ଏହି ଆମ୍ବୁଲାନ୍ସ ଆଦିବାସୀ, ଉପାନ୍ତ ଓ ଗ୍ରାମାଞ୍ଚଳ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଉଛି । ଆମ୍ବୁଲାନ୍ସଗୁଡିକରେ ଅତ୍ୟାବଶ୍ୟକୀୟ ଚିକିତ୍ସା ଉପକରଣ ଓ ଔଷଧ ସହ ଜଣେ ଲେଖାଏଁ ଡାକ୍ତର, ଫାର୍ମାସିଷ୍ଟ, ଏଏନଏମ ଏବଂ ଡ୍ରାଇଭର ନିଯୋଜିତ ହୋଇଛନ୍ତି । ଚିକିତ୍ସା ସେବା ସହିତ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନ କରିବା ଦିଗରେ ମଧ୍ୟ ଏହି ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । ୧୧୮୦ଟି ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଟିପିଏନଓଡ଼ିଏଲ ପକ୍ଷରୁ ଆୟୋଜନ କରାଯାଇଛି ।

TPNODL mobile ambulance
Photograph: (Kanak News)

ଏ ସମ୍ପର୍କରେ ସୂଚନା ଦେଇ ଟିପିଏନଓଡିଏଲ ସିଇଓ ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, ଆମେ ଅଭିଜ୍ଞ ଡାକ୍ତର, ଫାର୍ମାସିଷ୍ଟ ଏବଂ ଅନ୍ୟ କର୍ମଚାରୀ ପ୍ରତ୍ୟେକ ଆମ୍ବୁଲାନ୍ସରେ ନିୟୋଜିତ କରିଛୁ । ଏହି ଆମ୍ବୁଲାନ୍ସ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି । ଆବଶ୍ୟକ ସ୍ଥଳେ ଚିକିତ୍ସା ସେବା ଓ ଔଷଧ ଯୋଗାଉଥିବା ବେଳେ ଏ ସମସ୍ତ ପ୍ରକ୍ରିୟା ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ସମ୍ପାଦିତ ହେଉଛି । ସମ୍ପୂର୍ଣ ମାଗଣାରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଓ ଔଷଧ ଯୋଗାଇ ଦିଆଯାଉଥିବା ସେ ଦର୍ଶାଇଛନ୍ତି ।