କନକ ବ୍ୟୁରୋ: ଟିପିଏନଓଡିଏଲ ପକ୍ଷରୁ ଉତ୍ତର ଓଡିଶାରେ ଆରମ୍ଭ ହୋଇଛି ସୋଲାର ରୁଫଟପ୍ ସଚେତନତା ଅଭିଯାନ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅଧୀନରେ ଛାତ ଉପରେ ସୌରଶକ୍ତି ସ୍ଥାପନା ଓ ଏହାର ଉପଦେୟତା ଆଲୋକପାତ କରୁଛି ସଂସ୍ଥା ।
ଉତ୍ତର ଓଡ଼ିଶାରେ ଘର ଓ ବ୍ୟବସାୟ ମଧ୍ୟରେ ଛାତ ଉପରେ ସୌର ଶକ୍ତି ସମାଧାନ ସ୍ଥାପନ କରିବାର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ଏକ ଜନ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଏହା ଅଞ୍ଚଳର ପର୍ୟ୍ୟାପ୍ତ ସୌର ସମ୍ବଳ ଉପଯୋଗ କରି ପ୍ରଧାନମନ୍ତ୍ରୀ ସୂର୍ୟ୍ୟ ଘର ମାଗଣା ବିଜୁଳି (ପିଏମଏସଜିଏମବିୱାଇ)ର ଲାଭ ଉପରେ ଆଲୋକପାତ କରୁଛି ଏବଂ ରାଜ୍ୟର ଅକ୍ଷୟ ଶକ୍ତି ନୀତି ସହିତ ଯୋଡ଼ି ହୋଇଛି ଯାହା ଅକ୍ଷୟ ଶକ୍ତି ପ୍ରତି ଟାଟା ପାୱାରର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି ।
ଏହି ଅଭିଯାନରେ ଉଭୟ ସ୍ଥାନୀୟ ବାସିନ୍ଦା, ବାଣିଜ୍ୟିକ ଏବଂ ଶିଳ୍ପ ଗ୍ରାହକମାନଙ୍କୁ ସୌର ଶକ୍ତି ବ୍ୟବହାର କରିବାର ଆରô୍ଥକ ଏବଂ ପରିବେଶଗତ ଲାଭ ବିଷୟରେ ସଚେତନ କରିବାକୁ ଲକ୍ଷ୍ୟ ରଖାଯାଇଛି । ପିଏମଏସଜିଏମବିୱାଇ ଅଧୀନରେ କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫ୍ଏ) କାର୍ୟ୍ୟକ୍ରମ ପରି ପ୍ରମୁଖ ପ୍ରୋତ୍ସାହନ ଉପରେ ଏହା ଆଲୋକପାତ କରୁଛି । ଏହି କାର୍ୟ୍ୟକ୍ରମରେ ୧-୨ କିଲୋୱାଟ୍ ସିଷ୍ଟମ ପାଇଁ କିଲୋୱାଟ୍ ପିଛା ୩୦,୦୦୦ ଟଙ୍କାରୁ ଆରମ୍ଭ କରି ୩ କିଲୋୱାଟ୍ ଏବଂ ତା'ଠାରୁ ଅଧିକ ସିଷ୍ଟମ୍ ପାଇଁ ୭୮,୦୦୦ ଟଙ୍କା ପର୍ୟ୍ୟନ୍ତ ଆକର୍ଷଣୀୟ ସବସିଡି ପ୍ରଦାନ କରାଯାଉଛି ।
ଏହି ଅଭିଯାନକୁ ଟିପିଏନଓଡିଏଲର ସିଇଓ ଦ୍ୱିଜାଦାସ ବସକ ଏବଂ ଟାଟା ପାୱାରର ଜାତୀୟ ଅକ୍ଷୟ ଶକ୍ତି ମୁଖ୍ୟ କୌଶିକ ସାନ୍ୟାଲ ଉଦଘାଟନ କରିଥିଲେ । ଉନ୍ମୋଚନ ଉତ୍ସବରେ ସୌର ଶକ୍ତି ଗ୍ରହଣ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ଅନେକ ଉପଭୋକ୍ତାଙ୍କୁ ‘ଗ୍ରିନ ଚାମ୍ପିଅନ’ ଭାବେ ସମ୍ମାନିତ କରାଯାଇଥିଲା । ଟିପିଏନଓଡିଏଲ ରାଜ୍ୟର ସାମର୍ଥ୍ୟକୁ ଉପଯୋଗ କରି ସୌର ଶକ୍ତିକୁ ଏହାର ୨୧ ଲକ୍ଷ ଉପଭୋକ୍ତାଙ୍କ ପାଇଁ ସୁଲଭ କରିବାକୁ ଲକ୍ଷ୍ୟ ରଖିଛି ଟିପିଏନଓଡିଏଲର ସିଇଓ ଦ୍ୱିଜାଦାସ ବସକ କହିଛନ୍ତି ଯେ, ‘ଟିପିଏନଓଡିଏଲ’ରେ ଆମେ ବିଶ୍ୱାସ କରୁ ଯେ ସୌର ଶକ୍ତି ସ୍ଥିର, ଆତ୍ମନିର୍ଭରଶୀଳ ଗୋଷ୍ଠୀ ଗଠନର ଚାବିକାଠି ଏବଂ ଆମେ ଏହି ପରିବର୍ତନର ନେତୃତ୍ୱ ନେଇ ଗର୍ବ ଅନୁଭବ କରୁଛୁ । ପ୍ରଧାନମନ୍ତ୍ରୀ ସୂର୍ୟ୍ୟ ଘର ମାଗଣା ବିଜୁଳି ଯୋଜନାକୁ ପ୍ରୋତ୍ସାହିତ କରି ଆମେ ଆମର ଗ୍ରାହକମାନଙ୍କୁ ବିଶ୍ୱସନୀୟ, ବ୍ୟୟବହୁଳ ଏବଂ ସ୍ୱଚ୍ଛ ଶକ୍ତି ସମାଧାନ ସହିତ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ । ସମଗ୍ର ଅଂଚଳରେ ସୌର ଉତ୍ପାଦନକୁ ତ୍ୱରାନ୍ୱିତ କରି ସ୍ୱଚ୍ଛ, ଅଧିକ ସ୍ଥାୟୀ ଓଡ଼ିଶା ପାଇଁ ମାର୍ଗ ପ୍ରଶସ୍ତ କରିବା ଆମର ଲକ୍ଷ୍ୟ ।’’
ଗ୍ରାମୀଣ ଓ ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପିଏନ୍ଓଡିଏଲ୍ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ସଂରକ୍ଷିତ ଅଞ୍ଚଳ ଏବଂ କେନ୍ଦୁଝର ଜିଲ୍ଲାର ଯୋଡ଼ାସ୍ଥିତ କୋଲହ-ରୋଇଡ଼ା ଆଦି ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ସୌର ଚାଳିତ ମାଇକ୍ରୋଗ୍ରିଡ୍ କାର୍ୟ୍ୟକାରୀ କରାଯାଇଛି । ଏହି ମାଇକ୍ରୋଗ୍ରିଡର ଉଦ୍ଦେଶ୍ୟ ହେଉଛି ଗୋଷ୍ଠୀକୁ ବିଶ୍ୱସନୀୟ ଏବଂ ସ୍ଥାୟୀ ବିଜୁଳି ଯୋଗାଇବା । ସେମାନେ ପୂର୍ବରୁ ଅଣ ଅକ୍ଷୟ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳ ଥିଲେ । ଏହି ପଦକ୍ଷେପଗୁଡ଼ିକ ଉଭୟ ସ୍ଥାନୀୟ ସଂରକ୍ଷଣ ଲକ୍ଷ୍ୟ ଏବଂ ଭାରତର ବ୍ୟାପକ ଅକ୍ଷୟ ଶକ୍ତି ଲକ୍ଷ୍ୟ ସହିତ ସମନ୍ୱିତ ।
ଏହି ଅଭିଯାନ ମାଧ୍ୟମରେ, ଟିପିଏନଓଡିଏଲ ସୋଲାର ରୁଫଟପ ସମାଧାନ ଗ୍ରହଣ କରିବାର ଲାଭ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ୨ ଗିଗାୱାଟରୁ ଅଧିକ ସ୍ଥାପିତ ରୁଫଟପ ସୌର କ୍ଷମତା ଏବଂ ୧୩ ପ୍ରତିଶତ ବଜାରରେ ଅଗ୍ରଣୀ ଅଂଶ ସହିତ ଟାଟା ପାୱାର ସୋଲାର କ୍ରମାଗତ ୯ ବର୍ଷ ଧରି ଛାତ ଉପରେ ସୌର ଇପିସି ବ୍ୟବସାୟରେ ପ୍ରମୁଖ ସଂସ୍ଥା ହୋଇରହିଛି । ସମଗ୍ର ଭାରତରେ ପ୍ରତ୍ୟେକ ଘରେ ବିଶ୍ୱସନୀୟ, ସୁଲଭ ଏବଂ ସ୍ଥାୟୀ ସୌର ଶକ୍ତି ପହଂଚାଇବା ପାଇଁ ଏହି ଅଭିଯାନ ଏହାର ଲକ୍ଷ୍ୟକୁ ଦୋହରାଇଛି ।
୨୦୨୨ର ଅକ୍ଷୟ ଶକ୍ତି ନୀତି ଅନୁଯାୟୀ ଓଡ଼ିଶାରେ ବର୍ତ୍ତମାନ ୪୬୦ ମେଗାୱାଟ ସୌର ଶକ୍ତି କ୍ଷମତା ସ୍ଥାପନ କରାଯାଇଛି । ଏହି ନୀତିରେ ୨୦୩୦ ସୁଦ୍ଧା ୧୦ ଗିଗାୱାଟ ଅକ୍ଷୟ ଶକ୍ତି ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ସୌର ଶକ୍ତିର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରି ଏହି ଅଭିଯାନ ବାସିନ୍ଦା ଏବଂ ବ୍ୟବସାୟୀମାନଙ୍କୁ ସେମାନଙ୍କର କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରିବାକୁ ଏବଂ ଭାରତର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ସମର୍ଥନ କରିବାକୁ ଉତ୍ସାହିତ କରୁଛି ।