କନକ ବ୍ୟୁରୋ:  ଛତୁଆ ପରେ ଏବେ ପିଲାଙ୍କ ଖେଳନା ଉପରେ ସରକାରୀ ବାବୁଙ୍କ ନଜର । ଅଙ୍ଗନୱାଡି କେନ୍ଦ୍ରକୁ ଛୋଟ ପିଲାଙ୍କ ପାଇଁ ଆସୁଥିବା ଖେଳନା କିଣାବିକାରେ ବି ବଡ଼ ଧରଣର ଗଫଲତି ଏବେ ସାମନାକୁ ଆସିଛି । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଳକରେ ଏହାର ବଡ଼ ଉଦାହରଣ ଦେଖିବାକୁ ମିଳିଛି । ନଜର ପକାନ୍ତୁ ଏହି ବ୍ଳକର ଏକ ଅଙ୍ଗନୱାଡି କେନ୍ଦ୍ରକୁ ଆସିଥିବା ଖେଳନାର ବିଲ୍ ଉପରେ । ନା ଅଛି ରେଜିଷ୍ଟ୍ରେସନ ନମ୍ବର ନାଁ ବିଲରେ କୌଣସି ଜିଏସଟି କିମ୍ବା ଟାକ୍ସ ନମ୍ବର । ସମନ୍ବିତ ଶିଶୁ ବିକାଶ ଯୋଜନାକୁ ପୁରା ଉପହାସ କରୁଛି ଏହି ଦୁର୍ନୀତି । ସେପଟେ ଅଙ୍ଗନୱାଡ଼ି କର୍ମୀଙ୍କୁ ପଚାରିଲେ କହୁଛନ୍ତି ଆମକୁ ଉପରୁ ନିର୍ଦ୍ଦେଶ ଅଛି । କୌଣସି ହାଲରେ ବି ମୁହଁ ଖୋଲୁ ନାହାନ୍ତି ଅଙ୍ଗନୱାଡି କର୍ମୀ । 

Advertisment

ସବୁଠାରୁ ସାଂଘାତିକ କଥା ହେଉଛି ଏ ସବୁ ଖେଳନା ଏକ ନିର୍ଦ୍ଦିଷ୍ଟ ସଂସ୍ଥାଠାରୁ କିଣାଯାଇଛି। ଅଳ୍ପ ଦାମର ଜିନିଷ କିଣି ମନଇଛା ବିଲ ବି ହୋଇଥିବାର ଦେଖାଯାଇଛି । ଅଙ୍ଗନୱାଡ଼ି କର୍ମୀଙ୍କୁ ନିଜ ଇଚ୍ଛାରେ ଖେଳନା କିଣିବାକୁ ସରକାରଙ୍କ ନିର୍ଦ୍ଦେଶ ଥିଲେ ବି ତାହା ଏଠାରେ ପାଳନ ହେଉନଥିବା ଦେଖାଯାଉଛି । କେବଳ ମାର୍ଶାଘାଇ ବ୍ଳକର ୧୮୦ଟି ଅଙ୍ଗନୱାଡ଼ି କେନ୍ଦ୍ରକୁ  ଏହି ସଂସ୍ଥାଠାରୁ ଖେଳନା ଯାଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ବ୍ଳକକୁ ଖେଳନା ଯୋଗାଉଛି ଏହି ଜାଲ ସଂସ୍ଥା । ନିଜେ ଜିଲ୍ଲାପାଳ ଏ ବିଷୟରେ ଅବଗତ ଥିବା ମଧ୍ୟ ସ୍ବୀକାର କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ବିନା କାଗଜପତ୍ରରେ କିଣିବାପାଇଁ  ଅଙ୍ଗନୱାଡ଼ି କର୍ମୀଙ୍କୁ କିଏ ଆଉ କାହିଁକି  ବାଧ୍ୟ କରୁଛି। ସଠିକ ତଦନ୍ତ କରାଗଲେ ଛତୁଆ ଦୁର୍ନୀତି ଭଳି ଏହାର ମଧ୍ୟ ପର୍ଦ୍ଦାଫାଶ ହୋଇପାରିବ ।