ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜେରିଆରୁ ଦୁଇଟି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରକ୍ତାକ୍ତ ଉଗ୍ରବାଦୀ ଆକ୍ରମଣରେ ବହୁ ଲୋକଙ୍କ ଜୀବନ ଯାଇଛି। ଅନ୍ୟପଟେ ଏକ ଶିଳ୍ପ ଦୁର୍ଘଟଣା ଅନେକ ପରିବାରକୁ ଉଜାଡ଼ି ଦେଇଛି। ଏହି ଦୁଇଟି ପୃଥକ ଘଟଣାରେ ଏପର୍ଯ୍ୟନ୍ତ ମୋଟ ୭୧ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି ଓ ଅନେକ ଆହତ ହୋଇଥିବା ଜଣାପଡ଼ିଛି।
କେବିରେ ଉଗ୍ରବାଦୀଙ୍କ ରକ୍ତାକ୍ତ ଆକ୍ରମଣ
ପ୍ରଥମ ଘଟଣାଟି ନାଇଜେରିଆର ଉତ୍ତର-ପଶ୍ଚିମ ରାଜ୍ୟ କେବିରେ ଘଟିଛି। ସେଠାରେ ସନ୍ଦିଗ୍ଧ ଡକାୟତଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ୩୩ ଜଣ ଲୋଙ୍କର ଜୀବନ ଯାଇଛି। ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଆରେୱା ସ୍ଥାନୀୟ ସରକାରୀ କ୍ଷେତ୍ରର ବୁଇ ଜିଲ୍ଲାରେ ଏହି ଆକ୍ରମଣ ଘଟିଥିଲା। ଉତ୍ତର ଅଞ୍ଚଳରେ ସକ୍ରିୟ ଥିବା ଲାକୁରାୱା ଉଗ୍ରବାଦୀ ଗୋଷ୍ଠୀ ଏହି ଆକ୍ରମଣ ପଛରେ ଥିବା ଅନୁମାନ କରାଯାଉଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସଶସ୍ତ୍ର ଆକ୍ରମଣକାରୀମାନେ ପଡ଼ୋଶୀ ସୋକୋଟୋ ରାଜ୍ୟରୁ ଗାଈ ଚୋରି କରିବା ଉଦ୍ଦେଶ୍ୟରେ ଗାଁରେ ପ୍ରବେଶ କରିଥିଲେ। ତଥାପି, ଡକାୟତମାନଙ୍କ ନିକଟରେ ଆତ୍ମସମର୍ପଣ କରିବା ପରିବର୍ତ୍ତେ, ଗ୍ରାମବାସୀମାନେ ଏକତ୍ରିତ ହୋଇ ସେମାନଙ୍କର ମୁକାବିଲା କରିବାକୁ ନିଷ୍ପତ୍ତି ନେଇଥିଲେ। ପୁଲିସ ମୁଖପାତ୍ର ବଶିର ଉସମାନ କହିଛନ୍ତି, ଗାଁଲୋକ ଓ ଆକ୍ରମଣକାରୀଙ୍କ ମଧ୍ୟରେ ହୋଇଥିବା ଲଢ଼େଇରେ ୩୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଭବିଷ୍ୟତରେ ଆକ୍ରମଣକୁ ରୋକିବା ପାଇଁ ସାମରିକ ଓ ସୁରକ୍ଷା ସଂସ୍ଥାଗୁଡ଼ିକ ପ୍ରଭାବିତ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛନ୍ତି।
ଖଣିରେ ବିଷାକ୍ତ ଗ୍ୟାସ୍
କେନ୍ଦ୍ରୀୟ ରାଜ୍ୟ ପ୍ଲାଟୋରୁ ଆଉ ଏକ ଦୁଃଖଦ ଖବର ଆସିଛି। ୱାସେ ସରକାରୀ କ୍ଷେତ୍ରର ଜୁରାକ ସମ୍ପ୍ରଦାୟ ବାସ କରୁଥିବା ଏକ ସୀସା ଖଣିରେ ଗ୍ୟାସ ଲିକ୍ ଓ ବିସ୍ଫୋରଣରେ ୩୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୫ଜଣ ଆହତ ହୋଇଛନ୍ତି। ଖଣି ସଲିଡ୍ ମାଇନିଂ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା।
ତଦନ୍ତରୁ ଜଣାପଡ଼ିଛି, ଏହା ଏକ ପରିତ୍ୟକ୍ତ ଖଣି ଥିଲା। କମ୍ପାନି ଖଣି କାର୍ଯ୍ୟ ପାଇଁ ସ୍ଥାନୀୟ ସମ୍ପ୍ରଦାୟକୁ ହସ୍ତାନ୍ତର କରିଥିଲା। କଠିନ ଖଣିଜ ବିକାଶ ମନ୍ତ୍ରୀ ଡେଲେ ଆଲାକେ କହିଛନ୍ତି ଯେ, ଭୂତଳ ଖଣି ଖନନ ସମୟରେ ପୀଡିତମାନେ ସଲଫ୍ୟୁରିକ୍ ଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ର ସଂସ୍ପର୍ଶରେ ଆସିଥିଲେ । ଗାଁ ଲୋକେ ଗ୍ୟାସ୍ର ଘାତକ ପ୍ରକୃତି ବିଷୟରେ ଅଜ୍ଞ ଥିଲେ ଓ କାମ କରିବା ସମୟରେ ନିଃଶ୍ୱାସ ନେବା ଜାରି ରଖିଥିଲେ। ଯାହା ଫଳରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା। ସରକାର ସ୍ଥାନଟିକୁ ସିଲ୍ କରିଦେଇଛନ୍ତି । ବିଶେଷଜ୍ଞଙ୍କ ଏକ ଦଳକୁ ତଦନ୍ତ ପାଇଁ ପଠାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/gas-leak-2026-02-21-13-13-53.jpg)