କନକ ବ୍ୟୁରୋ : ପାଣିପାଗ ବିଭାଗ ତରଫରୁ ସମ୍ଭାବ୍ୟ ବାତ୍ୟାର ଘୋଷଣା ପରେ ପୁରୀରୁ ଫେରିଯାଉଛନ୍ତି ପର୍ଯ୍ୟଟକ ମାନେ । ବାତ୍ୟା ଭୟ ପାଇଁ ଆଗୁଆ ପୁରୀ ଛାଡ଼ୁଛନ୍ତି ଶହ ଶହ ସଂଖ୍ୟକ ପର୍ଯ୍ୟଟକ । ପୂଜା ଛୁଟି କାଟିବାକୁ ପୁରୀ ଆସିଥିବା ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଭୟଭୀତ ହୋପଡିଛନ୍ତି । ବିଭିନ୍ନ  ହୋଟେଲ, ଲଜ୍ ଓ ଧର୍ମଶାଳାରେ ରହି ପୁରୀରେ ଛୁଟି କାଟୁଥିବା ବେଳେ ଏବେ ଫେରିବାରେ ଲାଗିଛନ୍ତି । ପର୍ଯ୍ୟଟକମାନେ ହୋଟେଲ ଛାଡ଼ି ବିଭିନ୍ନ ଟାଉନ୍ ବସ୍, ଅଟୋ ଜରିଆରେ ଷ୍ଟେସନ୍ ଓ ବସ୍ କୁ ଯାଉଥିବାର ସୂଚନା ମିଳିଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଆସନ୍ତା ୨୩ ତାରିଖ ପୂର୍ବରୁ ସମସ୍ତ ପର୍ଯ୍ୟଟକ ମାନଙ୍କୁ ପୁରୀ ଛାଡ଼ିବାକୁ କୁହାଯାଇଥିଲା । ଏହାସହିତ ବାତ୍ୟା ପରିସ୍ଥିତିରେ ଯେପରି କୌଣସି ପର୍ଯ୍ୟଟକ ପୁରୀ ନଆସିବେ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ଯେଉଁମାନେ ପୁରୀର ବାସିନ୍ଦା ନୁହଁନ୍ତି କିନ୍ତୁ ଜରୁରୀକାଳୀନ ସ୍ଥିତିରେ ରହିବାର ଆବଶ୍ୟକତା ଥିବ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି ।