କନକ ବ୍ୟୁରୋ: ରାୟଗଡା ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀର ବିକାଶ ସହ ପର୍ଯ୍ୟଟକଙ୍କ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ଏସବୁ ଯୋଜନାର ସଫଳ ରୂପାୟନ ହୋଇପାରୁନି । ଯାହାର ଜ୍ୱଳନ୍ତ ଉଦାହରଣ ପାଇକପଡ଼ା ପର୍ଯ୍ୟଟକ ସାହାଯ୍ୟ କେନ୍ଦ୍ର । ପ୍ରଶାସନର ଦୂରଦୃଷ୍ଟିର ଅଭାବ ଯୋଗୁ ଦୀର୍ଘ ୧୦ ବର୍ଷ ହେଲାଣି କେନ୍ଦ୍ରରେ ତାଲା ଝୁଲୁଛି । ଟିକିଏ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ପାହାଡ଼ ଉପରକୁ ପାଦରେ ଚାଲି ଚାଲି ଗଲେ ଦୂରରୁ ଦିଶୁଛି ଗୋଟିଏ କୋଠା । ଏହି କୋଠାଟିକୁ ଅନାବନା ଗଛ ଘେରି ରହିଛନ୍ତି । ଚାରିଆଡ଼ ଶୂନଶାନ୍ । ଏ ହେଉଛି ପର୍ଯ୍ୟଟକ ସାହାଯ୍ୟ କେନ୍ଦ୍ର । ଉଦଘାଟନ୍କୁ ୧୦ ବର୍ଷ ବିତିଗଲାଣି, କିନ୍ତୁ ଆଜି ପର୍ଯ୍ୟନ୍ତ କୋଠାରୁ ତାଲା ଫିଟୁପାରୁନି, ଭିତରେ ବିଦ୍ୟୁତ ସଂଯୋଗ ହୋଇପାରୁନି । ପଡ଼ି ପଡ଼ି ଭୂତକୋଠୀ ପାଲଟିଗଲାଣି ସାହାଯ୍ୟ କେନ୍ଦ୍ର । ଏବେ ଏଠି ପର୍ଯ୍ୟଟକଙ୍କ ବଦଳରେ ଜମୁଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ।
ଅଧିକ ପଢନ୍ତୁ: ହୀରାକୁଦକୁ ଆସିବ ପର୍ଯ୍ୟଟନ ସମ୍ଭାର; ପର୍ଯ୍ୟଟକ ପାଇବେ ସ୍କୁବା ଡାଇଭିଂ, ପାରାଗ୍ଲାଇଡିଂ, ପାରା ସେଲିଂର ମଜା
ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ ପାଇକପଡ଼ା ଗାଁରେ ରହିଛି ହଜାରେ ବର୍ଷ ତଳର ପ୍ରାଚୀନ କୀର୍ତ୍ତିରାଜି ପ୍ରଭୁ ପାତାଳେଶ୍ୱର ମନ୍ଦିର । ମନ୍ଦିରକୁ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି । ୨୦୧୪-୧୫ରେ ପର୍ଯ୍ୟଟକଙ୍କ ପାଇଁ ପାହାଡ଼ ଉପରେ ନିର୍ମାଣ କରାଯାଇଥିଲା ଏହି ପର୍ଯ୍ୟଟକ ସାହାଯ୍ୟ କେନ୍ଦ୍ର । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ନିର୍ମିତ ଏହି କେନ୍ଦ୍ର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଖର୍ଚ୍ଚ ହୋଇଥିଲା ୪୪ ଲକ୍ଷ ଟଙ୍କା । ୨୦୧୬ରେ ତତ୍କାଳୀନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଏହାକୁ ଉଦଘାଟନ କରିଥିଲେ। ଇତି ମଧ୍ୟରେ ୧୦ ବର୍ଷ ବିତିଗଲାଣି, ଏହା କର୍ଯ୍ୟକ୍ଷମ ହୋଇପାରିଲାନି । ଅନ୍ୟପଟେ ସହର ଓ ମନ୍ଦିର ଠାରୁ ବହୁ ଦୂରରେ ନିଛାଟିଆ ଜାଗାରେ କେନ୍ଦ୍ରଟି ଥିବାରୁ ପର୍ଯ୍ୟଟକ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି । ସହର ଠାରୁ ଦୂରରେ କେନ୍ଦ୍ର ନିର୍ମାଣ ପଛର କାରଣ କ’ଣ? କେବେ ପ୍ରଶାସନର ନଜର ପଡ଼ିବ? କେବେ ସଚଳ ହେବ ପର୍ଯ୍ୟଟକ ସାହାଯ୍ୟ କେନ୍ଦ୍ର? ଏବେ କେବଳ ତାକୁ ହିଁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/24/rayagada-2026-01-24-18-54-31.png)