କନକ ବ୍ୟୁରୋ: ହନିମୁନରେ ଯାଇଥିବା ଇନ୍ଦୋର ଦମ୍ପତିଙ୍କ ମୃତଦେହ ମିଳିବା ପରେ ଏହି ଘଟଣାରେ ନୂଆ ମୋଡ଼ ଦେଖାଦେଇଛି । ତାଙ୍କ ପତ୍ନୀ ଏବେବି ନିଖୋଜ ଥିବାବେଳେ ତାଙ୍କ ଘରେ ପୋଷ୍ଟର ଲଗାଇ ସିବିଆଇ ଯାଞ୍ଚ ଦାବି କରିଛନ୍ତି ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ।
ବିବାହ ପରେ ହନିମୁନ୍ ପାଇଁ ସିଲଙ୍ଗ ଯାଇଥିଲେ ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀ ଓ ତାଙ୍କ ପତ୍ନୀ ସୋନମ୍ । ସେଠାକୁ ଯିବାର କିଛି ଦିନ ଯାଏ ପରିବାର ଲୋକଙ୍କ ଯୋଗାଯୋଗରେ ଥିଲେ । ହେଲେ ହଠାତ୍ ଦୁହିଁଙ୍କ ଫୋନ୍ ସ୍ବିଚ୍ ଅଫ୍ ହୋଇଯାଇଥିଲା । କିଛି ଦିନ ଯୋଗାଯୋଗ ନହେବାରୁ ପରିବାର ଲୋକେ ସିଲଙ୍ଗ ଗଲେ । ଯେଉଁ ଠିକଣା ପୂର୍ବରୁ ରାଜ କହିଥିଲେ ସେ ସ୍ଥାନକୁ ଯାଇ ଖୋଜାଖୋଜି କରିବା ପରେ ବି ପୁଅ ବୋହୂ ମିଳିଲେନି । ସେଠାରୁ ଫେରି ସ୍ଥାନୀୟ ପୁଲିସର ସାହାଯ୍ୟ ମାଗିଥିଲେ । ସ୍ଥାନୀୟ ପୁଲିସ ମେଘାଳୟ ପୁଲିସ ସହ ଯୋଗାଯୋଗ କରିଥିଲେ । ଅନେକ ଖୋଜିବା ପରେ ଜୁନ୍ ୨ ତାରିଖରେ ଚେରାପୁଞ୍ଜିର ଏକ ଝରଣା ନିକଟରୁ ରାଜାଙ୍କ ମୃତଦେହ ମିଳିଥିଲା । ତେବେ ମୃତଦେହର ହାତରେ ରାଜା ଟାଟୁ ହୋଇଥିବା ଦେଖି ସେଠିକାର ପୁଲିସ ଇନ୍ଦୋର ପୁଲିସକୁ ଜଣାଇବା ପରେ ପରିବାର ଲୋକେ ଯାଇ ପୁଅକୁ ଚିହ୍ନିଥିଲେ । ରାଜାଙ୍କ ମୃତଦେହରେ କ୍ଷତ ଚିହ୍ନ ଥିବାବେଳେ ତାଙ୍କ ଶବ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି।
ଅନ୍ୟପଟେ ତାଙ୍କ ପତ୍ନୀ ସୋନମଙ୍କ ପତ୍ତା ଏଯାଏ ମିଳିନି । ପୁଲିସ ସୋନମଙ୍କୁ ଖୋଜିବା ଜାରି ରଖିଛି । ଏପଟେ ସ୍ଥାନୀୟ ଲୋକେ ରାଜା ଓ ତାଙ୍କ ପତ୍ନୀଙ୍କ ଏକ ବଡ଼ ପୋଷ୍ଟର ତାଙ୍କ ଘରେ ଲଗାଇ ’ ମୁଁ ମରିନି ମୋତେ ମାରିଦିଆଯାଇଛି ’ ବୋଲି ଲେଖିବା ସହ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି ।