କନକ ବ୍ୟୁରୋ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଧିକ ଆକର୍ଷଣୀୟ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଦେଖାଯାଉଥିବା ଜୀବଜନ୍ତୁଙ୍କୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ଆଉ ସେଠାକୁ ଯିବାକୁ ପଡ଼ିବ ନାହିଁ ବରଂ ନନ୍ଦନକାନନର ଖୁଆଡ଼ ସମୂହରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଜୀବଜନ୍ତୁଙ୍କୁ ଦେଖିବାକୁ ପାଇବେ ପର୍ଯ୍ୟଟକ। ପ୍ରଥମ ଥର ପାଇଁ ଉତ୍ତର-ପୂର୍ବ ରାଜ୍ୟ ଯଥା ଆସାମ, ମିଜୋରାମ, ମେଘାଳୟ, ତ୍ରିପୁରା, ନାଗାଲାଣ୍ଡ, ମଣିପୁର, ଅରୁଣାଚଳ ପ୍ରଦେଶ, ସିକିମ୍ରେ ଦେଖାଯାଉଥିବା ପ୍ରମୁଖ ଜୀବଜନ୍ତୁଙ୍କୁ ଗୋଟିଏ ସ୍ଥାନରେ ରଖିବାକୁ ଏକ ଖୁଆଡ଼ ନିର୍ମାଣ ଚାଲିଛି । ଯେଉଁଠାରେ ଗଣ୍ଡା, ଗୋଲଡେନ୍ ଲାଙ୍ଗୁର, ଭାରତୀୟ ବାଇସନ୍(ଗୌର), ଜଙ୍ଗଲୀ ଜଳମହିଷୀ ଭଳି ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ମିଳିବ ।
କେବଳ ସେତିକି ନୁହେଁ, ଚିତା ବାଘ ଆଣିବାକୁ ରୂପରେଖ ପ୍ରସ୍ତୁତ ଚାଲିଛି । ବାହାର ଦେଶର ଚିଡ଼ିଆଖାନାରୁ ଚିତା ଅଣାଯାଇ ନନ୍ଦନକାନନରେ ରଖାଯିବ । ଏଥିପାଇଁ ନୂତନ ଚିତା ଖୁଆଡ଼ ନିର୍ମାଣ ହୋଇଛି । ଜାତୀୟ ସ୍ତରରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଖୁବ୍ଶୀଘ୍ର ଭଲ ଖବର ମିଳିବ ବୋଲି ଆଶା କରାଯାଉଛି । କାଚ ଲଗା କୁମ୍ଭୀର ଖୁଆଡ଼, ପାଦଚଲା ବିହଙ୍ଗ ସାରଣୀର ନବୀକରଣ କାର୍ଯ୍ୟ ମଧ୍ୟ ଜୋରଦାର ହୋଇଛି । ମୁଖ୍ୟ ଫାଟକର ସୌନ୍ଦର୍ଯ୍ୟକରଣ ଦିଗରେ ପଦକ୍ଷେପ ନିଆଯାଉଛି । ଏଥିସହ ରାଜ୍ୟ ଉଭିଦ ଉଦ୍ୟାନର ମୁଖ୍ୟ ଫାଟକ ସହ ଟିକେଟ୍ ଘର ନିର୍ମାଣ ଓ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନୂତନ ଜୀବଜନ୍ତୁ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଉଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ସୂଚନା ଦେଇଛନ୍ତି । ଇତିମଧ୍ୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ପ୍ରାଣୀ ଉଦ୍ୟାନରେ ବିଭିନ୍ନ ମନୋରଞ୍ଜନ ସୁବିଧା ମଧ୍ୟ କରାଯାଇଛି ।
ବ୍ୟାଟେରୀ ଚାଳିତ ଶିଶୁ ରେଳଗାଡ଼ି, ରୋପ, ୪ଟି ସଫାରୀ ଯଥା ବାଘ, ସିଂହ, ଭାଲୁ ଓ ତୃଣଭୋଜି ପ୍ରାଣୀ ସଫାରୀ ସହ ନୌକା ବିହାର, ବ୍ୟାଟେରୀ ଚାଳିତ ଗାଡ଼ି, ମତ୍ସ୍ୟଳୟ, ଗ୍ରନ୍ଥାଗାର, ବହୁତଳ ଗାଡ଼ି ରହଣି ସ୍ଥଳ ପରି ବିଭିନ୍ନ ସୁବିଧା ଉପଲବ୍ଧ ହୋଇଛି । ପ୍ରାଣୀ ଉଦ୍ୟାନର କଳେବର ବଢ଼ିବା ସହ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇଛି । ତିନି ବର୍ଷର ତଥ୍ୟ ଉପରେ ନଜର ପକାଇଲେ ୨୦୨୨-୨୩ରେ ୩୮ଲକ୍ଷ ୬୮ହଜାର ପର୍ଯ୍ୟଟକ ନନ୍ଦନକାନନ ବୁଲି ଆସିଥିଲେ । ୨୦୨୩-୨୪ରେ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ୩୯ଲକ୍ଷ ୧୮ହଜାରରେ ଥିବା ବେଳେ ୨୦୨୪-୨୫ରେ ତାହା ୩୯ଲକ୍ଷ ୩୫ ହଜାରରେ ପହଞ୍ଚିଛି । କେବଳ ପର୍ଯ୍ୟଟକଙ୍କଠାରୁ ଗତ ତିନୋଟି ଆର୍ଥିକ ବର୍ଷରେ ଯଥାକ୍ରମେ ୧୬ କୋଟି, ୧୫ କୋଟି ୭୪ ଲକ୍ଷ ଓ ୧୫ କୋଟି ୫୩ ଲକ୍ଷ ଟଙ୍କା ଆଦାୟ ହୋଇଛି । ପର୍ଯ୍ୟଟକଙ୍କଠାରୁ ଆଦାୟ ହୋଇଥିବା ଅର୍ଥ ପ୍ରାଣୀ ଉଦ୍ୟାନ ବିକାଶରେ ସହାୟକ ହୋଇଥିବା ମନ୍ତ୍ରୀ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ।