କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା କଳା, ସଂସ୍କୃତି ଓ ପର୍ଯ୍ୟଟନସ୍ଥଳୀ ଭାବେ ବେଶ ପରିଚିତ। କଳା ଓ କଳାକାର ସୃଷ୍ଟି କରିବା ସହ ନିଜ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକୃଷ୍ଟ କରେ। ଜିଲ୍ଲା ପର୍ଯ୍ୟଟନ ସ୍ଥଳୀର ଚିତ୍ର ଆଙ୍କି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ପ୍ରୟାସ କରିଛି ଚିତ୍ରତ୍ପୋଳା ଅନୁଷ୍ଠାନ।
ସୁବର୍ଣ୍ଣପୁରର ପର୍ଯ୍ୟଟନ ସ୍ଥଳୀକୁ ଯିଏ ଥରେ ଦେଖିଛି ସିଏ ତା ପ୍ରେମରେ ପଡ଼ିଛି। ସେମିତି ପ୍ରେମରେ ପଡ଼ିଥିବା ଚିତ୍ରକର ସୁବର୍ଣ୍ଣପୁର ସୌନ୍ଦର୍ଯ୍ୟକୁ ନିଜ ରଙ୍ଗ ତୁଳିରେ ଧରି ରଖିବାକୁ ଚେଷ୍ଟା କରିଛନ୍ତି। ଡ୍ରଇଁ କାଗଜ, ରଙ୍ଗ ଓ ତୁଳିରେ ନିଜର ଭାବନାକୁ ଜୀବନ୍ତ କରିଛନ୍ତି।
ମହାନଦୀ ମୁହାଣରେ ରାଜ୍ୟର ବଛାବଛା ୪୦ ଜଣ ଚିତ୍ରଶିଳ୍ପୀ ସୁବର୍ଣ୍ଣପୁରର ମନ୍ଦିର, ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକୁ ନିଜ କଳାରେ ସ୍ଥାନ ଦେଇଛନ୍ତି। ସୂର୍ଯ୍ୟାଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମହାନଦୀ କୂଳରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ସବୁ ଚିତ୍ର କିଛି ନା କିଛି ସଚେତନତା ବାର୍ତ୍ତା ଦେଉଛି। ରାମେଶ୍ୱର ତ୍ରିବେଣୀ ସଙ୍ଗମର ଚିତ୍ର ଦେଖି ଖୁବ୍ ଆନନ୍ଦ ଉପଭୋଗ କରିଛନ୍ତି ଦେଖଣାହାରି। ସୁବର୍ଣ୍ଣପୁରର ବିଭିନ୍ନ ସୁନେଲି ଚିତ୍ର ଆଙ୍କୁଥିବା ଚିତ୍ରଶିଳ୍ପୀ ନିହାତି ପ୍ରଶଂସାର ପାତ୍ର।