କନକ ବ୍ୟୁରୋ: ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ତୋଷାଳି ସାହିତ୍ୟ ଉତ୍ସବ ଆଜି ଭୁବନେଶ୍ୱର ଉପକଣ୍ଠ ରାଞ୍ଚ୍ ରିସର୍ଟରେ ଉଦଘାଟିତ ହୋଇଯାଇଛି । ସରସ୍ୱତୀ ସମ୍ମାନ ବିଜେତା ବିଶିଷ୍ଟ ମକାଠୀ ଲେଖକ ଶରଣ କୁମାର ଲିମ୍ବାଲେ ଏହାକୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିଲେ । ଅନ୍ୟ ମାନଂକ ମଧ୍ୟରେ ବିଶିଷ୍ଟ ଲେଖକ ଆୟାଜ ରସୁଲ ନଜକୀ, ରାଜ ରାଜେଶ୍ୱରୀ ସୀତାରମଣ, ଚନ୍ଦ୍ରହାସ ଚୌଧୁରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।
କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ପ୍ରତିବର୍ଷ ଦିଆଯାଉଥିବା ଜାତୀୟ ପୁରସ୍କାର ଚଳିତ ବର୍ଷ ଇନ୍ଦୋରର ବରିଷ୍ଠ ଇଂରାଜୀ କବି ବିନିତା ଅଗ୍ରୱାଲଙ୍କୁ ପଚାଶ ହଜାର ଟଙ୍କା ସମେତ ସମ୍ମାନ ଫଳକ ସହ ପ୍ରଦାନ କରାଯାଇଥିଲା । ଉଦୟଗିରି ଫାଉଣ୍ଡେସନର ଅଧ୍ୟକ୍ଷ ଜୟ ଜଗଦେବ ସ୍ୱାଗତ ଭାଷଣ ଦେବାବେଳେ ଉତ୍ସବର ନିର୍ଦ୍ଦେଶକ ପରେଶ କୁମାର ପଟନାୟକ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ଦେଶ ଓ ଦେଶବାହାରୁ ଶତାଧିକ ଲେଖକ ଯୋଗ ଦେଇଛନ୍ତି । ଦୁଇ ଦିନ ବ୍ୟାପୀ ଏହି ସଂସ୍କରଣରେ ପୁସ୍ତକ ଉନ୍ମୋଚନ, ଆଲୋଚନା ଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମ ରହିଛି ।